Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

CHC Fire: ବଅଁରପାଳ CHCରେ ଭୟଙ୍କର ଅଗ୍ନିକାଣ୍ଡ, ପୋଡ଼ିଗଲା ଲକ୍ଷ ଲକ୍ଷ ଟଙ୍କାର ମେଡିକାଲ ଉପକରଣ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ CHCରେ ବୁଧବାର ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ରାତି ପ୍ରାୟ ୧୨ଟା ସମୟରେ ବିଦ୍ୟୁତ୍‌ ସର୍ଟସର୍କିଟ୍‌ରୁ ନିଆଁ ଲାଗିଥିବା ପ୍ରାଥମିକ ସନ୍ଦେହ କରାଯାଉଛି। ଅଗ୍ନିକାଣ୍ଡରେ ମେଡିକାଲ ପରିସରରେ ଥିବା ରକ୍ତ ପରୀକ୍ଷା କେନ୍ଦ୍ରର ବହୁ ମୂଲ୍ୟବାନ ମେସିନ୍‌ ଓ ଉପକରଣ ପୋଡ଼ି ନଷ୍ଟ ହୋଇଯାଇଛି। ପ୍ରାଥମିକ ଭାବେ କ୍ଷୟକ୍ଷତି ପ୍ରାୟ ୫୦ ଲକ୍ଷ ଟଙ୍କା ହୋଇଥିବା କୁହାଯାଉଛି।

ନିଆଁ ଲାଗିବା ଜଣାପଡ଼ିବା ପରେ ମେଡିକାଲ କର୍ତ୍ତୃପକ୍ଷ ତୁରନ୍ତ ବଅଁରପାଳ ପୁଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ତେବେ ୫୫ ନମ୍ବର ଜାତୀୟ ରାଜପଥର ଦୁରାବସ୍ଥା ଯୋଗୁଁ ଗତ କିଛିଦିନ ଧରି ଯାନବାହନ ଚଳାଚଳ ପ୍ରଭାବିତ ହେଉଥିବାରୁ ଅଗ୍ନିଶମ ଗାଡ଼ିକୁ ପୁଲିସ ପକ୍ଷରୁ ପାଇଲଟିଂ କରି ଘଟଣାସ୍ଥଳକୁ ନିଆଯାଇଥିଲା। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ସେତେବେଳକୁ ରକ୍ତ ପରୀକ୍ଷା କେନ୍ଦ୍ରରେ ଥିବା ଅନେକ ମେସିନ୍‌ ଓ ଉପକରଣ ପୋଡ଼ି ନଷ୍ଟ ହୋଇସାରିଥିଲା।

ଅଗ୍ନିକାଣ୍ଡ ପରେ CHCର ରକ୍ତ ପରୀକ୍ଷା ସେବା ବ୍ୟାହତ ହେବାର ଆଶଙ୍କା ରହିଛି। ରୋଗୀମାନଙ୍କୁ ଆଗକୁ କିପରି ରକ୍ତ ପରୀକ୍ଷା ସେବା ଯୋଗାଇ ଦିଆଯିବ, ସେନେଇ ମେଡିକାଲ କର୍ତ୍ତୃପକ୍ଷ ଚିନ୍ତା ପ୍ରକଟ କରିଛନ୍ତି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏବଂ ସମ୍ପୂର୍ଣ୍ଣ କ୍ଷୟକ୍ଷତିର ପରିମାଣ ତଦନ୍ତ ପରେ ସ୍ପଷ୍ଟ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories