Syria Secret Room: ୧୩ ବର୍ଷ ଧରି ଘରର କାନ୍ଥ ଭିତରେ ଲୁଚିଥିଲେ ବ୍ୟକ୍ତି! ପିଲାଙ୍କୁ କୁହାଯାଇଥିଲା ‘ବାପା ମରିଯାଇଛନ୍ତି’
ନୂଆଦିଲ୍ଲୀ: ଏହା କୌଣସି ଫିଲ୍ମର କାହାଣୀ ନୁହେଁ, ବରଂ ସିରିଆର ଲାଟାକିଆ ପ୍ରଦେଶର ମହମ୍ମଦ ଜକୌରଙ୍କ ଜୀବନର ଏକ ଅବିଶ୍ୱସନୀୟ ଘଟଣା। ଅସଦ୍ ଶାସନର ସୁରକ୍ଷା ବାହିନୀଠାରୁ ଗିରଫଦାରୀରୁ ବଞ୍ଚିବା ପାଇଁ ସେ ନିଜ ଘରର କାନ୍ଥ ଭିତରେ ଏକ ଗୁପ୍ତ ସ୍ଥାନ ତିଆରି କରି ସେଠାରେ ୧୩ ବର୍ଷରୁ ଅଧିକ ସମୟ ଲୁଚି ରହିଥିବା ଦାବି କରିଛନ୍ତି। ୨୦୧୧ରେ ସିରିଆରେ ବିଦ୍ରୋହ ଆରମ୍ଭ ହେବା ପରେ ସେ ଅସଦ୍ ବିରୋଧୀ ଆନ୍ଦୋଳନରେ ସାମିଲ ହୋଇଥିଲେ। ପରେ ତାଙ୍କୁ ସୁରକ୍ଷା ବାହିନୀ ଗିରଫ କରିଥିବା ଏବଂ ପ୍ରାୟ ୩ ମାସ ଜେଲ୍ରେ ରହିଥିବା ସେ କହିଛନ୍ତି। ଜେଲ୍ରୁ ମୁକ୍ତ ହେବା ପରେ ମଧ୍ୟ ତାଙ୍କୁ ଧରାଯିବାର ଭୟ ରହିଥିବାରୁ ଶେଷରେ ନିଜ ଘରକୁ ହିଁ ଗୁପ୍ତ ଆଶ୍ରୟସ୍ଥଳ କରିଥିଲେ।
ଜକୌରଙ୍କ ଅନୁସାରେ, ଘରର କାନ୍ଥରେ ପ୍ରାୟ ୧୦୦ଟି କଂକ୍ରିଟ୍ ବ୍ଲକ୍ ବ୍ୟବହାର କରି ଏକ ଛୋଟ ଗୁପ୍ତ ସ୍ଥାନ ତିଆରି କରାଯାଇଥିଲା। ସେଠାରେ ରହିବା ସମୟରେ ତାଙ୍କ ପତ୍ନୀ ହିଁ ଏକମାତ୍ର ବ୍ୟକ୍ତି ଥିଲେ, ଯିଏ ତାଙ୍କ ଜୀବିତ ଥିବା କଥା ଜାଣିଥିଲେ। କାନ୍ଥର ଏକ ଛୋଟ ଖୋଲା ସ୍ଥାନ ଦେଇ ସେ ଜକୌରଙ୍କୁ ଖାଦ୍ୟ, ପାଣି, ପୋଷାକ ଓ ଔଷଧ ଯୋଗାଇ ଦେଉଥିଲେ। ଏପରିକି ଜକୌର ନିଜ ପିଲାମାନଙ୍କ କଥା ଶୁଣିପାରୁଥିଲେ, କିନ୍ତୁ ସେମାନଙ୍କ ସାମ୍ନାକୁ ଆସିପାରୁନଥିଲେ। ସୁରକ୍ଷା ବାହିନୀ ତାଙ୍କ ବିଷୟରେ ଜାଣିନପାରିବା ପାଇଁ ତାଙ୍କ ୫ ପିଲାଙ୍କୁ ବାପା ମରିଯାଇଥିବା କୁହାଯାଇଥିଲା।
ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି, ୨୦୨୩ରେ ଭୟଙ୍କର ଭୂକମ୍ପ ହୋଇଥିଲେ ମଧ୍ୟ ଜକୌର ନିଜ ଗୁପ୍ତ ସ୍ଥାନରୁ ବାହାରିନଥିଲେ। ପରେ ୮ ଡିସେମ୍ବର ୨୦୨୪ରେ ବିଦ୍ରୋହୀମାନେ ଦାମାସ୍କସ୍ରେ ପ୍ରବେଶ କରିବା ଏବଂ ବଶର ଅଲ୍-ଅସଦ୍ ସିରିଆ ଛାଡ଼ିବା ପରେ ସେ ଜାଣିଥିଲେ ଯେ ଯେଉଁ ଶାସନର ଭୟରେ ସେ ବର୍ଷ ବର୍ଷ ଧରି ଲୁଚିଥିଲେ, ତାହାର ଶେଷ ହୋଇଛି। ଏହାପରେ ସେ କାନ୍ଥ ଭିତରୁ ବାହାରି ପରିବାର ସାମ୍ନାକୁ ଆସିଥିଲେ। ଦୀର୍ଘ ୧୩ ବର୍ଷ ପରେ ଜୀବିତ ବାପାଙ୍କୁ ସାମ୍ନାରେ ଦେଖିବା ତାଙ୍କ ପିଲାମାନଙ୍କ ପାଇଁ ନିଶ୍ଚିତ ଭାବେ ଏକ ଅବିଶ୍ୱସନୀୟ ମୁହୂର୍ତ୍ତ ଥିଲା।

