Surat Artist: ପେନ୍ସିଲ୍ ମୁନରେ ମାତ୍ର ୬ ମିମିର ଗଣେଶ ମୂର୍ତ୍ତି, ୫ ଦିନର ପରିଶ୍ରମରେ ଅଦ୍ଭୁତ କଳାକୃତି
ଗୁଜରାଟ: ଗଣେଶୋତ୍ସବରେ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଣେଶ ମୂର୍ତ୍ତି ଓ ଆକର୍ଷଣୀୟ ପୂଜାମଣ୍ଡପ ଦେଖିବାକୁ ମିଳୁଥିବା ବେଳେ ଗୁଜରାଟର ସୁରଟର ଜଣେ ଯୁବ କଳାକାର ନିଜର ନିଆରା କଳାକୃତି ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ପଟେଲ ମୟଙ୍କ ଦିନେଶଭାଇ ପେନ୍ସିଲ୍ର ମୁନରେ ମାତ୍ର ୬ ମିଲିମିଟର ଆକାରର ଏକ ଗଣେଶ ମୂର୍ତ୍ତି ତିଆରି କରିଛନ୍ତି। ଏତେ ଛୋଟ ଆକାରରେ ମୂର୍ତ୍ତିର ସୂକ୍ଷ୍ମ କାରୁକାର୍ଯ୍ୟ ଏବେ ଗଣେଶୋତ୍ସବରେ ଲୋକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି।
ମୟଙ୍କଙ୍କ କହିବା ଅନୁସାରେ, ପ୍ରାୟ ଦୁଇ ବର୍ଷ ପୂର୍ବେ ପେନ୍ସିଲ୍ର ମୁନରେ ପରୀକ୍ଷା କରୁଥିବା ସମୟରେ ତାଙ୍କ ନିଜ ନାମର ଅକ୍ଷର ଖୋଦେଇଥିଲେ। ଏହାପରେ ତାଙ୍କ ମନରେ ପେନ୍ସିଲ୍ର ମୁନରେ ଗଣେଶ ମୂର୍ତ୍ତି ତିଆରି କରିବାର ଚିନ୍ତା ଆସିଥିଲା। ପରେ ସେ ଏହାକୁ ବାସ୍ତବ ରୂପ ଦେବାକୁ ପ୍ରୟାସ ଆରମ୍ଭ କରିଥିଲେ। ଅତ୍ୟନ୍ତ ସୂକ୍ଷ୍ମ କାମ ହୋଇଥିବାରୁ ପ୍ରତ୍ୟେକ ଖୋଦେଇ ପାଇଁ ତାଙ୍କୁ ଗଭୀର ଏକାଗ୍ରତା ରଖିବାକୁ ପଡ଼ିଥିଲା।
ମୟଙ୍କ କହିଛନ୍ତି ଯେ, ଏହି ୬ ମିଲିମିଟରର ଗଣେଶ ମୂର୍ତ୍ତି ତିଆରି କରିବାକୁ ତାଙ୍କୁ ପ୍ରାୟ ୫ ଦିନ ସମୟ ଲାଗିଥିଲା। ଏହି ସମୟରେ ଧୈର୍ଯ୍ୟ, ଏକାଗ୍ରତା ଓ ସୂକ୍ଷ୍ମ କାରୁକାର୍ଯ୍ୟ ଉପରେ ବିଶେଷ ଧ୍ୟାନ ଦେଇ ସେ ମୂର୍ତ୍ତିଟିକୁ ସମ୍ପୂର୍ଣ୍ଣ କରିଥିଲେ। ବିଶାଳ ମୂର୍ତ୍ତି ମଧ୍ୟରେ ଏହି କ୍ଷୁଦ୍ର ଗଣେଶ ମୂର୍ତ୍ତି ଏବେ ସୁରଟର ଗଣେଶୋତ୍ସବକୁ ଏକ ନିଆରା ପରିଚୟ ଦେଇଛି।

