Election Commission Event: ମେରଠ-ବାରାଣସୀରେ ଜ୍ଞାନେଶ କୁମାରଙ୍କ କାର୍ଯ୍ୟକ୍ରମ ବାତିଲ, ତାରିଖ ପରିବର୍ତ୍ତନକୁ ନେଇ ECIର ସ୍ପଷ୍ଟୀକରଣ
ଉତ୍ତରପ୍ରଦେଶ: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଉତ୍ତରପ୍ରଦେଶ ଗସ୍ତ ସମୟରେ ହେବାକୁ ଥିବା ଦୁଇଟି ଯୁବ ଭୋଟର ସଚେତନତା କାର୍ଯ୍ୟକ୍ରମକୁ ନିର୍ବାଚନ କମିଶନ ସ୍ଥଗିତ କରିଛି। ସେପ୍ଟେମ୍ବର ୨୫ରେ ମେରଠରେ Electoral Literacy Club (ELC) ସମ୍ମିଳନୀ ଏବଂ ସେପ୍ଟେମ୍ବର ୨୮ରେ ବାରାଣସୀରେ ଯୁବ ଭୋଟରଙ୍କ ସହ ଆଲୋଚନାରେ ଜ୍ଞାନେଶ କୁମାର ଯୋଗଦେବାର ଥିଲା। ତେବେ ଏହି କାର୍ଯ୍ୟକ୍ରମଗୁଡ଼ିକର ତାରିଖ ପରିବର୍ତ୍ତନକୁ ନିୟମିତ ପ୍ରଶାସନିକ ପ୍ରକ୍ରିୟାର ଅଂଶ ବୋଲି ECI ସ୍ପଷ୍ଟ କରିଛି।
କାର୍ଯ୍ୟକ୍ରମ ସ୍ଥଗିତ ନେଇ ECI କହିଛି ଯେ ସ୍ଥାନ ଉପଲବ୍ଧତା, ବରିଷ୍ଠ ଅଧିକାରୀଙ୍କ କାର୍ଯ୍ୟସୂଚୀ ଏବଂ ପ୍ରାକୃତିକ ପରିସ୍ଥିତି ଭଳି ବିଭିନ୍ନ ଲଜିଷ୍ଟିକ୍ ଓ ପ୍ରଶାସନିକ କାରଣରୁ ELC କାର୍ଯ୍ୟକ୍ରମର ତାରିଖ ବଦଳିପାରେ। ହିମାଚଳ ପ୍ରଦେଶ, ଲଦାଖ ଓ ଉତ୍ତରାଖଣ୍ଡରେ ମଧ୍ୟ ପୂର୍ବରୁ ଏଭଳି କାର୍ଯ୍ୟକ୍ରମର ତାରିଖ ପରିବର୍ତ୍ତନ ହୋଇଥିବା ଆୟୋଗ କହିଛି। ଏହି ଦୁଇଟି କାର୍ଯ୍ୟକ୍ରମ ସ୍ଥଗିତ କରିବାର ନିଷ୍ପତ୍ତି ସେପ୍ଟେମ୍ବର ୨୧ରେ ନିଆଯାଇଥିଲା ବୋଲି ମଧ୍ୟ ECI କହିଛି।
ଅନ୍ୟପକ୍ଷରେ, ଏହି ସ୍ଥଗିତାଦେଶ ନିର୍ବାଚନ କମିଶନ ମଧ୍ୟରେ Special Intensive Revision (SIR)କୁ ନେଇ ଆସିଥିବା ମତଭେଦ ସମ୍ପର୍କିତ ରିପୋର୍ଟ ପରେ ସାମ୍ନାକୁ ଆସିଛି। The Indian Express ରିପୋର୍ଟ ଅନୁସାରେ, ନିର୍ବାଚନ କମିଶନର ସୁଖବୀର ସିଂହ ସାନ୍ଧୁ ଓ ବିବେକ ଯୋଶୀ ଗତ ୧୦ ମାସ ମଧ୍ୟରେ SIR ସମ୍ପର୍କିତ ବିଭିନ୍ନ ନିଷ୍ପତ୍ତି ଉପରେ ଅତିକମରେ ୧୪ ଥର ଆପତ୍ତି ରେକର୍ଡ କରିଥିବା ରିପୋର୍ଟ ପ୍ରକାଶ ପାଇଛି। ତେବେ ECI କହିଛି ଯେ ବହୁସଦସ୍ୟ ବିଶିଷ୍ଟ ସଂସ୍ଥାରେ ଆଭ୍ୟନ୍ତରୀଣ ଟିପ୍ପଣୀ, ପ୍ରଶ୍ନ ଓ ଭିନ୍ନ ମତ ନିଷ୍ପତ୍ତି ପ୍ରକ୍ରିୟାର ସାଧାରଣ ଅଂଶ ଏବଂ SIR ସମ୍ପର୍କିତ ଅନ୍ତିମ ନିଷ୍ପତ୍ତି ସର୍ବସମ୍ମତିରେ ନିଆଯାଇଥିବା ଆୟୋଗ କହିଛି।

