Fire Rescue Boat: ଗର୍ଭବତୀଙ୍କୁ ଉଦ୍ଧାର ବେଳେ ନଦୀରେ ଓଲଟିଲା ଦମକଳ ବୋଟ, ସୁରକ୍ଷିତ ଉଦ୍ଧାର ହେଲେ କର୍ମଚାରୀ
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଇବାଲି ପଞ୍ଚାୟତର ଉପାନ୍ତ ତଡମା ଗାଁରେ ଜଣେ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ଦମକଳ ବାହିନୀର ବୋଟ ନଦୀରେ ଓଲଟି ପଡ଼ିଛି। ଲଗାଣ ବର୍ଷା ଯୋଗୁଁ ଗାଁ ନିକଟରେ ଥିବା ନଦୀରେ ପାଣି ବଢ଼ିବା ସହ ସ୍ରୋତ ମଧ୍ୟ ତୀବ୍ର ଥିବା ଜଣାପଡ଼ିଛି। ଏହି ସମୟରେ ଗାଁର ଜଣେ ଗର୍ଭବତୀ ମହିଳାଙ୍କୁ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ପ୍ରଶାସନକୁ ଖବର ଦେଇଥିଲେ।
ସୂଚନା ପାଇ ଭଞ୍ଜନଗର ଓ ବେଲଗୁଣ୍ଠା ଦମକଳ ବାହିନୀ ସହ ବ୍ଲକ ପ୍ରଶାସନର ଅଧିକାରୀମାନେ ଗାଁ ନିକଟରେ ପହଞ୍ଚିଥିଲେ। ମହିଳାଙ୍କୁ ନଦୀ ପାର କରାଇ ଉଦ୍ଧାର କରିବା ପାଇଁ ବୋଟ ଯୋଗେ ଯିବାକୁ ଚେଷ୍ଟା କରାଯାଇଥିଲା। ତେବେ ନଦୀର ତୀବ୍ର ସ୍ରୋତ ଯୋଗୁଁ ବୋଟଟି ଓଲଟି ପଡ଼ିଥିଲା। ଦମକଳ ବାହିନୀର କର୍ମଚାରୀମାନେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ଜଣାପଡ଼ିଛି।
ଏପଟେ ଗାଁରେ ଥିବା ଆରତୀ ଗୌଡ଼ ନାମକ ମହିଳା ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିବା ସୂଚନା ମିଳିଛି। ବୋଟ ଦୁର୍ଘଟଣା ଯୋଗୁଁ ତାଙ୍କୁ ତୁରନ୍ତ ନଦୀ ପାର କରାଇ ନେବା ସମ୍ଭବ ହୋଇପାରିନଥିଲା। ବର୍ତ୍ତମାନ ମହିଳା ଓ ନବଜାତ ଶିଶୁଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଥିବା ଜଣାପଡ଼ିଛି।

