West Bengal Police Reshuffle: ପଶ୍ଚିମବଙ୍ଗରେ ବଡ଼ ପୁଲିସ ପ୍ରଶାସନରେ ବଡ ଧରଣର ଅଦଳବଦଳ, ୨୩ IPS ଓ WBP ଅଧିକାରୀଙ୍କ ବଦଳି
ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ପୁଲିସ ପ୍ରଶାସନରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଗୃହ ଓ ପାହାଡ଼ ବ୍ୟାପାର ବିଭାଗ ପକ୍ଷରୁ ସେପ୍ଟେମ୍ବର ୨୫ରେ ଜାରି ନୋଟିଫିକେସନ୍ ଅନୁଯାୟୀ, ୨୩ ଜଣ IPS ଓ ପଶ୍ଚିମବଙ୍ଗ ପୁଲିସ ସେବା ଅଧିକାରୀଙ୍କୁ ବଦଳି କରାଯାଇଛି। କୋଲକାତା ପୁଲିସ, ଷ୍ଟେଟ୍ ଇଣ୍ଟେଲିଜେନ୍ସ ବ୍ରାଞ୍ଚ ଓ ଅନ୍ୟାନ୍ୟ ପୁଲିସ ୟୁନିଟ୍ରେ ଏହି ପରିବର୍ତ୍ତନ କରାଯାଇଛି। ନୋଟିଫିକେସନ୍ରେ ଏହି ବଦଳିଗୁଡ଼ିକୁ ‘ଜନସେବାର ସ୍ୱାର୍ଥରେ’ କରାଯାଇଥିବା ଦର୍ଶାଯାଇଛି।
ଏହି ଅଦଳବଦଳରେ STFର IGP ସୁଧୀର କୁମାର ନୀଳକଣ୍ଠମଙ୍କୁ କୋଲକାତା ପୁଲିସର ଅତିରିକ୍ତ କମିଶନର ଭାବେ ନିଯୁକ୍ତ କରାଯାଇଛି। ସେ ଦେବେନ୍ଦ୍ର ପ୍ରକାଶ ସିଂହଙ୍କ ସ୍ଥାନ ନେବେ। ସିଂହଙ୍କୁ ଇଣ୍ଟେଲିଜେନ୍ସ ବ୍ରାଞ୍ଚ, ନର୍ଥ ବେଙ୍ଗଲର IG ଭାବେ ବଦଳି କରାଯାଇଛି। ସେହିପରି ଇଣ୍ଟେଲିଜେନ୍ସ ବ୍ରାଞ୍ଚର DIG ଭୋଲାନାଥ ପାଣ୍ଡେଙ୍କୁ କୋଲକାତା ପୁଲିସର ଜଏଣ୍ଟ କମିଶନର (ଟ୍ରାଫିକ୍) ଦାୟିତ୍ୱ ଦିଆଯାଇଛି। ସୂର୍ଯ୍ୟ ପ୍ରତାପ ଯାଦବଙ୍କୁ ଷ୍ଟେଟ୍ ଇଣ୍ଟେଲିଜେନ୍ସ ବ୍ରାଞ୍ଚର DIG କରାଯାଇଥିବା ବେଳେ ସୁଖେନ ହୀରାଙ୍କୁ କୋଲକାତା ପୁଲିସର ଜଏଣ୍ଟ କମିଶନର (ସିକ୍ୟୁରିଟି) ଦାୟିତ୍ୱ ମିଳିଛି। ଦେବର୍ଷି ଦତ୍ତଙ୍କୁ ବିଧାନନଗର ପୁଲିସର ଜଏଣ୍ଟ କମିଶନର ଭାବେ ନିଯୁକ୍ତ କରାଯାଇଛି।
ଏହା ବ୍ୟତୀତ କୋଲକାତା ପୁଲିସର ଡିଟେକ୍ଟିଭ୍ ଓ ସାଇବର ୱିଙ୍ଗ୍ରେ ମଧ୍ୟ ପରିବର୍ତ୍ତନ ହୋଇଛି। ଧୃତିମାନ ସରକାରଙ୍କୁ ମାଲଦା CIDର SP ଏବଂ ଆରିଶ ବିଲାଲଙ୍କୁ ପଶ୍ଚିମବଙ୍ଗ CIDର SP ଭାବେ ନିଯୁକ୍ତ କରାଯାଇଛି। SAP ପ୍ରଥମ ବାଟାଲିୟନର କମାଣ୍ଡିଂ ଅଫିସର ସୌମ୍ୟଦୀପ ଭଟ୍ଟାଚାର୍ଯ୍ୟଙ୍କୁ କୋଲକାତାର DCP (ସାଇବର-II) କରାଯାଇଛି। ସ୍ପର୍ଶା ନିଲାଙ୍ଗୀଙ୍କୁ DCP, ଡିଟେକ୍ଟିଭ୍ ଡିପାର୍ଟମେଣ୍ଟ, କୋଲକାତା ଭାବେ ବଦଳି କରାଯାଇଥିବା ବେଳେ କ୍ୱାଜି ସାମସୁଦ୍ଦିନ ଅହମଦଙ୍କୁ ବିଧାନନଗର ପୁଲିସ କମିଶନରେଟର DCP (ଡିଟେକ୍ଟିଭ୍ ଡିପାର୍ଟମେଣ୍ଟ) ଏବଂ କୁନ୍ତଲ ବାନାର୍ଜୀଙ୍କୁ ବାରାକପୁର ପୁଲିସ କମିଶନରେଟର DCP ଭାବେ ନିଯୁକ୍ତ କରାଯାଇଛି। ଅଧିକାରୀମାନେ ନୂଆ ପଦରେ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ଏହି ଆଦେଶ ଲାଗୁ ହେବ।

