Char Dham Yatra: ଖରାପ ପାଗ ଓ ରେଡ୍ ଆଲର୍ଟ ମଧ୍ୟରେ ଯାତ୍ରା ନେଇ ବଡ଼ ଅପଡେଟ୍, ସୁରକ୍ଷାକୁ ଗୁରୁତ୍ୱ
ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ଖରାପ ପାଗକୁ ନେଇ ଚାରଧାମ ଯାତ୍ରାକୁ ନେଇ ପ୍ରଶାସନ ସତର୍କ ହୋଇଛି। ରାଜ୍ୟର ଅନେକ ଜିଲ୍ଲାରେ ଭାରୀରୁ ଅତିଭାରୀ ବର୍ଷାର ସମ୍ଭାବନା ଥିବାରୁ ରେଡ୍ ଓ ଅରେଞ୍ଜ୍ ଆଲର୍ଟ ଜାରି ହୋଇଛି। ଭୂସ୍ଖଳନ, ହଠାତ୍ ବନ୍ୟା ଏବଂ ରାସ୍ତା ଅବରୋଧ ଭଳି ସମସ୍ୟାର ଆଶଙ୍କା ଥିବାରୁ ଯାତ୍ରୀ ଓ ପର୍ଯ୍ୟଟକଙ୍କୁ ଅନାବଶ୍ୟକ ଯାତ୍ରା ନକରିବାକୁ ପ୍ରଶାସନ ପରାମର୍ଶ ଦେଇଛି।
ପାଣିପାଗ ବିଭାଗ ଅନୁସାରେ, ସେପ୍ଟେମ୍ବର ୨୬ ଓ ୨୭ରେ ଉତ୍ତରାଖଣ୍ଡର ବିଭିନ୍ନ ଅଞ୍ଚଳରେ ଭାରୀରୁ ଅତିଭାରୀ ବର୍ଷା ହୋଇପାରେ। କେତେକ ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଏବଂ ଅନ୍ୟ କେତେକ ଅଞ୍ଚଳ ପାଇଁ ଅରେଞ୍ଜ୍ ଆଲର୍ଟ ଜାରି ହୋଇଛି। ଚାରଧାମ ମାର୍ଗରେ ମଧ୍ୟ ଭାରୀ ବର୍ଷା, ବଜ୍ରପାତ ଓ ଜୋର ପବନର ସମ୍ଭାବନା ଦର୍ଶାଯାଇଛି।
ଏଭଳି ପରିସ୍ଥିତିରେ ଯାତ୍ରୀଙ୍କ ସୁରକ୍ଷାକୁ ପ୍ରଶାସନ ପ୍ରାଥମିକତା ଦେଇଛି। ଭାରୀ ବର୍ଷା ହେଲେ ଯାତ୍ରୀମାନଙ୍କୁ ନିକଟସ୍ଥ ସୁରକ୍ଷିତ ହୋଲ୍ଡିଂ ଏରିଆରେ ଅଟକାଇ ରଖାଯିବ ବୋଲି କୁହାଯାଇଛି। ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ବିଭାଗଗୁଡ଼ିକୁ ସତର୍କ ରହିବା ସହ ଜରୁରୀକାଳୀନ ଉଦ୍ଧାର ଓ ରିଲିଫ୍ ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

