SCO Meeting: ପାକିସ୍ତାନରେ SCOର ବୈଠକରେ ଭାରତର ଯୋଗଦାନ; ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ!
ନୂଆଦିଲ୍ଲୀ: ପାକିସ୍ତାନରେ ଆୟୋଜିତ ହେବାକୁ ଥିବା ”Shanghai Cooperation Organisation (SCO)”ର ଜାତୀୟ ସମନ୍ୱୟ କମିଟି ବୈଠକରେ ଭାରତ ଅଂଶଗ୍ରହଣ କରିବ। ସରକାରୀ ସୂତ୍ର ଅନୁସାରେ, ସେପ୍ଟେମ୍ବର ୨୮ରୁ ୩୦ ମଧ୍ୟରେ ହେବାକୁ ଥିବା ଏହି ବୈଠକରେ ପାକିସ୍ତାନର ଅଧ୍ୟକ୍ଷତାରେ ହେବାକୁ ଥିବା ବିଭିନ୍ନ SCO କାର୍ଯ୍ୟକ୍ରମର କ୍ୟାଲେଣ୍ଡର ନେଇ ଆଲୋଚନା ହେବ। ଏହା ପରେ ଆସନ୍ତା ବର୍ଷ ଇସଲାମାବାଦରେ ହେବାକୁ ଥିବା ରାଷ୍ଟ୍ରମୁଖ୍ୟସ୍ତରୀୟ ଶିଖର ସମ୍ମିଳନୀକୁ ନେଇ ମଧ୍ୟ ଚର୍ଚ୍ଚା ବଢ଼ିଛି।
ଭାରତ ୨୦୧୭ରେ SCOର ପୂର୍ଣ୍ଣ ସଦସ୍ୟ ହେବା ପରଠାରୁ ସଂଗଠନର ବିଭିନ୍ନ ବୈଠକରେ ନିୟମିତ ଭାବେ ଅଂଶ ନେଇଆସୁଛି। ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ତିକ୍ତତା ରହିଥିଲେ ମଧ୍ୟ SCO ମଞ୍ଚରେ ଉଭୟ ଦେଶର ଅଧିକାରୀମାନେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଆସୁଛନ୍ତି। ଏଥର ଭାରତର ପ୍ରତିନିଧିତ୍ୱ ମଧ୍ୟ ଏହି ବହୁପକ୍ଷୀୟ ମଞ୍ଚରେ ଜାରି ରହିବ।
ତେବେ ଆସନ୍ତା ବର୍ଷ ଇସଲାମାବାଦରେ ହେବାକୁ ଥିବା SCO ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବେ କି ନାହିଁ, ତାହା ଏବେ ଚର୍ଚ୍ଚାର ବିଷୟ। ଏନେଇ ଭାରତ ସରକାରଙ୍କ ପକ୍ଷରୁ ଅନ୍ତିମ ନିଷ୍ପତ୍ତି ସାମ୍ନାକୁ ଆସିନାହିଁ। ପାକିସ୍ତାନର ଅଧ୍ୟକ୍ଷତା ସମୟରେ ଭାରତ SCO ସହ ନିଜର ସଂସ୍ଥାଗତ ଯୋଗାଯୋଗ ଜାରି ରଖିବ ବୋଲି ଭାରତ ପକ୍ଷରୁ ପୂର୍ବରୁ କୁହାଯାଇଛି।

