Supreme Court E-Challan: ଟ୍ରାଫିକ୍ ଚାଲାଣକୁ ବିଦ୍ୟୁତ୍ ବିଲ୍ରେ ଯୋଡ଼ିବାକୁ ପ୍ରସ୍ତାବ ! ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ମତ
ନୂଆଦିଲ୍ଲୀ: ଟ୍ରାଫିକ୍ ନିୟମ ଉଲ୍ଲଂଘନ ପରେ ଜାରି ହେଉଥିବା ଇ-ଚାଲାଣର ଜରିମାନା ଆଦାୟକୁ ନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ମତ ଦେଇଛନ୍ତି। ଅନାଦାୟ ଚାଲାଣର ରାଶିକୁ ବିଦ୍ୟୁତ୍ ବିଲ୍ ସହ ଯୋଡ଼ି ଆଦାୟ କରାଯାଇପାରିବ କି ନାହିଁ, ସେନେଇ କୋର୍ଟ ପ୍ରସ୍ତାବ ଦେଇଛନ୍ତି। ତେବେ ଏହା କୋର୍ଟଙ୍କ ଏକ ପ୍ରସ୍ତାବ, ବର୍ତ୍ତମାନର ଲାଗୁ ନିୟମ କିମ୍ବା ନିର୍ଦ୍ଦେଶ ବୋଲି ଧରାଯିବ ନାହିଁ।
ଜଷ୍ଟିସ୍ ଜେ.ବି. ପାର୍ଦିୱାଲା ଏବଂ ଜଷ୍ଟିସ୍ କେ.ଭି. ବିଶ୍ୱନାଥନଙ୍କ ଖଣ୍ଡପୀଠ ଟ୍ରାଫିକ୍ ନିୟମ ଉଲ୍ଲଂଘନର ଇଲେକ୍ଟ୍ରୋନିକ୍ ଏନ୍ଫୋର୍ସମେଣ୍ଟ ଏବଂ ଅନାଦାୟ ଇ-ଚାଲାଣ ଆଦାୟ ସମ୍ପର୍କିତ ଏକ ମାମଲାର ଶୁଣାଣି କରୁଥିଲେ। ଶୁଣାଣି ସମୟରେ ଜଷ୍ଟିସ୍ ପାର୍ଦିୱାଲା କହିଥିଲେ ଯେ, କେବଳ ହଜାର ହଜାର କିମ୍ବା ଲକ୍ଷ ଲକ୍ଷ ଇ-ଚାଲାଣ ଜାରି କରିବା ଯଥେଷ୍ଟ ନୁହେଁ। ପ୍ରକୃତ ପ୍ରଶ୍ନ ହେଉଛି, ଚାଲାଣ ଜାରି ହେବା ପରେ ଜରିମାନା କିପରି ଆଦାୟ କରାଯିବ।
କୋର୍ଟଙ୍କ ଏହି ମତର ମୁଖ୍ୟ କେନ୍ଦ୍ରବିନ୍ଦୁ ହେଉଛି ଇ-ଚାଲାଣ ବ୍ୟବସ୍ଥାକୁ କେବଳ ନିୟମ ଉଲ୍ଲଂଘନ ରେକର୍ଡ କରିବାରେ ସୀମିତ ନରଖି, ଜରିମାନା ଆଦାୟକୁ ମଧ୍ୟ ପ୍ରଭାବଶାଳୀ କରିବା। ବିଦ୍ୟୁତ୍ ବିଲ୍ ସହ ଅନାଦାୟ ଚାଲାଣ ଯୋଡ଼ିବା ଭଳି ବିକଳ୍ପ ଉପରେ ବିଚାର କରାଯାଇପାରେ ବୋଲି କୋର୍ଟ ସଙ୍କେତ ଦେଇଛନ୍ତି। ତେବେ ଏଭଳି ବ୍ୟବସ୍ଥା ଲାଗୁ ହେବ କି ନାହିଁ ଏବଂ ହେଲେ ଏହାର ପ୍ରକ୍ରିୟା କଣ ରହିବ, ସେନେଇ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ପରବର୍ତ୍ତୀ ନିଷ୍ପତ୍ତି ହିଁ ଚୂଡ଼ାନ୍ତ ହେବ।

