Odisha Vigilance Raid: ସହକାରୀ ନିର୍ଦ୍ଦେଶକଙ୍କ ୭ ସ୍ଥାନରେ ଏକକାଳୀନ ଚଢ଼ାଉ, ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ
ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଫ୍ୟାକ୍ଟ୍ରି ଓ ବଏଲର୍ ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ଭିଜିଲାନ୍ସ ଚଢ଼ାଉ ଚାଲିଛି। ସମ୍ବଲପୁର ସ୍ପେଶାଲ୍ ଜଜ୍ଙ୍କ ସର୍ଚ୍ଚ ୱାରେଣ୍ଟ ଆଧାରରେ ସମ୍ବଲପୁର, ଭୁବନେଶ୍ୱର, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ୭ଟି ସ୍ଥାନରେ ଏକକାଳୀନ ଯାଞ୍ଚ ଜାରି ରହିଛି। ଏହି ସର୍ଚ୍ଚ ଅପରେସନ୍ରେ ୮ ଜଣ DSP, ୧୧ ଜଣ ଇନ୍ସପେକ୍ଟର ଓ ୧୧ ଜଣ ASI ସାମିଲ ହୋଇଛନ୍ତି।
ଭିଜିଲାନ୍ସ ଟିମ୍ ଉମାକାନ୍ତ ସାମନ୍ତରାୟଙ୍କ ସମ୍ବଲପୁର ଧନକଉଡ଼ାସ୍ଥିତ ସନ୍ ସିଟି ଆପାର୍ଟମେଣ୍ଟର ଫ୍ଲାଟ୍, ଭୁବନେଶ୍ୱର ନନ୍ଦନ ବିହାରର ଡୁପ୍ଲେକ୍ସ, ଜଟଣୀ ବାରକୁଡ଼ରେ ଥିବା କୋଠା, ପୁରୀ ବାଲିଗୁଆଳିରେ ଥିବା ୩ ମହଲା କୋଠା ଏବଂ ବାଲୁଗାଁରେ ଥିବା ଦୁଇଟି ୨ ମହଲା କୋଠା ସମେତ ସମ୍ବଲପୁର କାର୍ଯ୍ୟାଳୟରେ ଯାଞ୍ଚ କରୁଛନ୍ତି। ଏହି ସ୍ଥାନଗୁଡ଼ିକରେ ଥିବା ସମ୍ପତ୍ତି ଓ ଆର୍ଥିକ କାଗଜପତ୍ର ସମ୍ପର୍କରେ ଯାଞ୍ଚ କରାଯାଉଛି।
ବର୍ତ୍ତମାନ ଭିଜିଲାନ୍ସ ଟିମ୍ ପକ୍ଷରୁ ସମ୍ପତ୍ତିର ମୂଲ୍ୟାଙ୍କନ ଓ ଅନ୍ୟାନ୍ୟ ତଥ୍ୟ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ଚଢ଼ାଉ ଶେଷ ହେବା ପରେ ଯାଞ୍ଚରୁ ମିଳିଥିବା ସମ୍ପତ୍ତି ଓ ଅନ୍ୟ ପ୍ରମାଣ ଆଧାରରେ ମାମଲାର ପରବର୍ତ୍ତୀ ଆଇନଗତ ପଦକ୍ଷେପ ସମ୍ପର୍କରେ ସ୍ପଷ୍ଟତା ମିଳିବ। ଏହି ମାମଲାରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଏପର୍ଯ୍ୟନ୍ତ ତଦନ୍ତାଧୀନ ରହିଛି।

