Puri Khaja Raid: ପୁରୀ ଖଜାରେ ଭେଜାଲ! ଖଜା ଗୋଦାମରୁ ୪ କୁଇଣ୍ଟାଲ ଖଜା ଜବତ; ଯାଞ୍ଚ କରୁଛି ଟିମ୍
ପୁରୀ: ପୁରୀ ଶ୍ରୀମନ୍ଦିର ବାହାରେ ଥିବା ବିଭିନ୍ନ ଖଜା ଗୋଦାମ ଓ କାରଖାନାରେ ପୁଣି ଚଢ଼ାଉ କରାଯାଇଛି। ଶୁକ୍ରବାର ସକାଳୁ ସିଟି ଡିଏସ୍ପିଙ୍କ ନେତୃତ୍ୱରେ ଟାଉନ୍ ପୁଲିସ, ଖାଦ୍ୟ ସୁରକ୍ଷା ବିଭାଗ ଏବଂ ମୁନିସିପାଲ୍ କର୍ପୋରେସନ୍ର ଏନ୍ଫୋର୍ସମେଣ୍ଟ ଟିମ୍ ମିଳିତ ଭାବେ ଏହି ଯାଞ୍ଚ କରିଛନ୍ତି। ଚଢ଼ାଉ ସମୟରେ ପ୍ରାୟ ୪ କୁଇଣ୍ଟାଲ ଖଜା ଜବତ କରାଯାଇଥିବା ସୂଚନା ମିଳିଛି।
ଶ୍ରଦ୍ଧାଳୁଙ୍କୁ ନିମ୍ନମାନର କିମ୍ବା ଭେଜାଲ ଖଜା ଅଧିକ ଦାମରେ ବିକ୍ରି କରାଯାଉଥିବା ନେଇ ବାରମ୍ବାର ଅଭିଯୋଗ ଆସୁଥିବାରୁ ଏହି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଥିବା କୁହାଯାଇଛି। ଏହା ପୂର୍ବରୁ ଗତ ୧୭ ତାରିଖରେ ମଧ୍ୟ ୪ଟି ଖଜା ଗୋଦାମରେ ଚଢ଼ାଉ କରାଯାଇ ୩୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ବର୍ତ୍ତମାନ ବଡ଼ଦାଣ୍ଡ ଓ ଏହାର ଆଖପାଖ ଅଞ୍ଚଳର ଅନେକ ଗୋଦାମ ଏବଂ ଉତ୍ପାଦନସ୍ଥଳରେ ଯାଞ୍ଚ ଜାରି ରହିଛି।
ଚଢ଼ାଉ ସମୟରେ ଖଜାର ଗୁଣବତ୍ତା, ଓଜନ, ପ୍ୟାକେଜିଂ ଏବଂ ଖାଦ୍ୟ ସୁରକ୍ଷା ଲାଇସେନ୍ସ ସମେତ ବିଭିନ୍ନ ଦିଗ ଯାଞ୍ଚ କରାଯାଉଛି। ଜବତ ଖଜାର ଗୁଣବତ୍ତା ସମ୍ପର୍କରେ ଆବଶ୍ୟକ ପରୀକ୍ଷା ଓ ଯାଞ୍ଚ ପରେ ନିୟମ ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଗୁଣାତ୍ମକ ଖାଦ୍ୟ ଯୋଗାଣ ସୁନିଶ୍ଚିତ କରିବା ଉପରେ ଅଧିକାରୀମାନେ ଗୁରୁତ୍ୱ ଦେଉଛନ୍ତି।

