Nepal Rain Disaster: ଲଗାଣ ବର୍ଷାରେ ବିପର୍ଯ୍ୟସ୍ତ ନେପାଳ, ୫ ଦିନରେ ୨୭ ମୃତ; ମନାଙ୍ଗରେ ହିମସ୍ଖଳନ
ନେପାଳ: ନେପାଳରେ ଲଗାଣ ବର୍ଷା ଯୋଗୁଁ ପୁଣିଥରେ ବନ୍ୟା ଓ ଭୂସ୍ଖଳନ ଭଳି ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେଇଛି। ସେପ୍ଟେମ୍ବର ୨୪ରୁ ୨୮ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ବର୍ଷାଜନିତ ଘଟଣାରେ ଅତି କମ୍ରେ ୨୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ନିଖୋଜ ଅଛନ୍ତି। ଏହି ଘଟଣାଗୁଡ଼ିକରେ ଆଉ ୮ ଜଣ ଆହତ ହୋଇଥିବା ସୂଚନା ମିଳିଛି। ପ୍ରବଳ ବର୍ଷା ଯୋଗୁଁ ଦେଶର ଅନେକ ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି।
ଏହି ସମୟରେ ମନାଙ୍ଗ ଜିଲ୍ଲାର ହିମଲୁଙ୍ଗ ହିମାଲ୍ ବେସ୍ କ୍ୟାମ୍ପରେ ହିମସ୍ଖଳନ ଘଟିଥିବା ଜଣାପଡ଼ିଛି। ହିମସ୍ଖଳନରେ କିଛି ଟେଣ୍ଟ୍ ମାଟି ଓ ବରଫ ତଳେ ପୋତି ହୋଇଯାଇଥିଲା। ସେଠାରେ ଥିବା ୨୨ ଜଣ ନେପାଳୀ ନାଗରିକ ନିଖୋଜ ହୋଇଥିବା ବେଳେ ୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ନିଖୋଜ ଲୋକଙ୍କ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ନେଇ ପ୍ରଶାସନ ପକ୍ଷରୁ ପଦକ୍ଷେପ ଜାରି ରହିଛି।
ଭୂସ୍ଖଳନ, ବନ୍ୟା ଓ ପ୍ରବଳ ବର୍ଷାର ପ୍ରଭାବରେ ନେପାଳର ବିଭିନ୍ନ ଅଞ୍ଚଳରେ ଶତାଧିକ ଘର ଏବଂ ଅନ୍ୟାନ୍ୟ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି। ଅନେକ ସ୍ଥାନରେ ସେତୁ ଓ ଯୋଗାଯୋଗ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଥିବା ସୂଚନା ରହିଛି। ଲଗାଣ ବର୍ଷା ଓ ଭୂସ୍ଖଳନ ଯୋଗୁଁ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଚ୍ୟାଲେଞ୍ଜିଂ ହୋଇଥିବା ବେଳେ ପ୍ରଭାବିତ ଅଞ୍ଚଳର ସ୍ଥିତି ଉପରେ କର୍ତ୍ତୃପକ୍ଷ ନଜର ରଖିଛନ୍ତି।

