Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha DGP Case: ଡିଜିପି ନିଯୁକ୍ତି ବିବାଦରେ ଶୁଣାଣି ଶେଷ, ରାୟ ସଂରକ୍ଷିତ

ନୂଆଦିଲ୍ଲୀ: ଓଡ଼ିଶା ଡିଜିପି ନିଯୁକ୍ତି ସମ୍ପର୍କିତ ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ଶେଷ ହୋଇଛି। ଶୁଣାଣି ପରେ ସର୍ବୋଚ୍ଚ ନ୍ୟାୟାଳୟ ରାୟ ସଂରକ୍ଷିତ ରଖିଛନ୍ତି। ଏହି ମାମଲା ସହ ସମାନ ଝାଡ଼ଖଣ୍ଡ ଡିଜିପି ନିଯୁକ୍ତି ମାମଲାର ଶୁଣାଣି ଅକ୍ଟୋବର ୮ରେ ହେବାକୁ ଥିବାରୁ, ସେହି ଶୁଣାଣି ପରେ ଓଡ଼ିଶା ମାମଲାରେ ରାୟ ଆସିପାରେ ବୋଲି ଆଇନଗତ ଭାବେ ଆଶା କରାଯାଉଛି। ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହଟ୍ଟା ଓ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ପକ୍ଷ ରଖିଥିଲେ।

ମାମଲାରେ ସୁପ୍ରିମକୋର୍ଟ ମୁଖ୍ୟତଃ ଏକ୍ସ-କ୍ୟାଡର ପଦବୀ କାହିଁକି ଆବଶ୍ୟକ ହେଲା ଏବଂ UPSC ଦ୍ୱାରା ତିନି ଜଣ ଯୋଗ୍ୟ କ୍ୟାଡର ଅଧିକାରୀଙ୍କ ନାମ ସୁପାରିଶ ହେବା ପରେ ପୁଣି ଅନ୍ୟ ନାମ ଯୋଡ଼ାଯିବାର ଆବଶ୍ୟକତା କାହିଁକି ପଡ଼ିଲା, ସେନେଇ ପ୍ରଶ୍ନ ଉଠାଇଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ଅଧିକ ବ୍ୟାପକ ପୁଲ୍‌ରୁ ଚୟନ ପାଇଁ ଏହି ପଦକ୍ଷେପ ନିଆଯାଇଥିଲା। ସରକାର ପକ୍ଷରୁ ଏହା ମଧ୍ୟ ଦାବି କରାଯାଇଛି ଯେ ଗୃହ ମନ୍ତ୍ରଣାଳୟର ନିୟମ ଓ ପ୍ରକାଶ ସିଂହ ଗାଇଡଲାଇନ୍‌କୁ ଅନୁସରଣ କରାଯାଇଛି। ତେବେ UPSC ପକ୍ଷରୁ ଚୟନ ପ୍ରକ୍ରିୟାର ସମୀକ୍ଷା ଓ ରାଜ୍ୟ ସରକାରଙ୍କ ପକ୍ଷରୁ ନିୟମର ଅନୁପାଳନ ହୋଇଛି କି ନାହିଁ, ତାହା ଶୁଣାଣିର ମୁଖ୍ୟ ପ୍ରସଙ୍ଗ ମଧ୍ୟରେ ରହିଥିଲା।

ନିୟମ ଅନୁଯାୟୀ, ଡିଜିପି ଚୟନ ପ୍ରକ୍ରିୟାରେ ରାଜ୍ୟ ସରକାର ଯୋଗ୍ୟ IPS ଅଧିକାରୀଙ୍କ ନାମ UPSCକୁ ପଠାଇଥାନ୍ତି। UPSC ଯାଞ୍ଚ ପରେ ତିନି ଜଣ ଯୋଗ୍ୟ ଓ ବରିଷ୍ଠ IPS ଅଧିକାରୀଙ୍କ ନାମ ସୁପାରିଶ କରିଥାଏ। ଏହି ମାମଲାରେ ମଧ୍ୟ UPSC ତିନି ଜଣଙ୍କ ନାମ ସୁପାରିଶ କରିଥିବା ସତ୍ତ୍ୱେ ରାଜ୍ୟ ସରକାର ଏକ୍ସ-କ୍ୟାଡର ପଦବୀ ସୃଷ୍ଟି କରି ପୁଣି ଅଧିକ ନାମ UPSCକୁ ପଠାଇଥିବାକୁ ନେଇ ବିବାଦ ଉପୁଜିଥିଲା। ଏବେ ଶୁଣାଣି ଶେଷ ହେବା ପରେ ରାୟ ସଂରକ୍ଷିତ ରହିଛି ଏବଂ ଆଗାମୀ ନ୍ୟାୟିକ ପ୍ରକ୍ରିୟା ଉପରେ ନଜର ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories