Soumyaranjan Death Case: ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ବଡ଼ ମୋଡ଼, ଗିରଫ ହେଲେ ରୋଷେୟା ମନ୍ମଥ; ବିଦ୍ୟାଭାରତୀଙ୍କ ଆବେଦନ ଖାରଜ
ଭୁବନେଶ୍ଵର: ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ନୂଆ ମୋଡ଼ ଆସିଛି। ଦୀର୍ଘଦିନ ଧରି ପୁଲିସକୁ ଏଡ଼ାଇ ଚାଲିଥିବା ମାମଲାର ଅନ୍ୟତମ ଅଭିଯୁକ୍ତ ତଥା ରୋଷେୟା ମନ୍ମଥ କୁମ୍ଭଙ୍କୁ ପୁଲିସ ଗିରଫ କରିଛି। ପାରଳାଖେମୁଣ୍ଡି ଏସ୍ଡିଜେଏମ୍ ଅଦାଲତ ଜାରି କରିଥିବା ଜାମିନବିହୀନ ଗିରଫ ପରୱାନା ଆଧାରରେ ମନ୍ମଥଙ୍କୁ ତାଙ୍କ ଗାଁରୁ ଧରାଯାଇଥିବା ସୂଚନା ମିଳିଛି।
ଅନ୍ୟପକ୍ଷରେ, ମାମଲାରେ ବିଦ୍ୟାଭାରତୀଙ୍କୁ ନେଇ ମଧ୍ୟ ଆଇନଗତ ସ୍ଥିତି ଗୁରୁତ୍ୱପୂର୍ଣ୍ଣ ହୋଇଛି। ତାଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏହା ପୂର୍ବରୁ ହାଇକୋର୍ଟ ବିଦ୍ୟାଭାରତୀଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷା ହଟାଇବା ସହ ତାଙ୍କ ପ୍ରୋଟେଷ୍ଟ ପିଟିସନ ମଧ୍ୟ ଖାରଜ କରିଥିଲେ।
ସୁପ୍ରିମକୋର୍ଟରେ ମଧ୍ୟ ଆବେଦନ ଖାରଜ ହେବା ପରେ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା ପୁଣି ଚର୍ଚ୍ଚାକୁ ଆସିଛି। ମନ୍ମଥ କୁମ୍ଭଙ୍କ ଗିରଫ ଏବଂ ବିଦ୍ୟାଭାରତୀଙ୍କ ଆବେଦନ ଖାରଜ ହେବା ପରେ ଏହି ମାମଲାରେ ଆଗକୁ ତଦନ୍ତ ଓ ଆଇନଗତ ପ୍ରକ୍ରିୟା କେଉଁ ଦିଗକୁ ଯାଉଛି, ତା’ ଉପରେ ନଜର ରହିଛି।

