Silicon Valley Sex Scandal: ୧୦୦ରୁ ଅଧିକ ନାଁର ଗୁପ୍ତ ଲିଷ୍ଟ, ଟେକ୍ ଦୁନିଆରେ ଯୌନ ଶୋଷଣ ଅଭିଯୋଗକୁ ନେଇ ବଢିଲା ଚର୍ଚ୍ଚା
ନୂଆଦିଲ୍ଲୀ: ଆମେରିକାର ସିଲିକନ୍ ଭ୍ୟାଲିକୁ ନେଇ ଏକ ରିପୋର୍ଟ ଏବେ ଚର୍ଚ୍ଚାରେ ରହିଛି। ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁସାରେ, ଟେକ୍ନୋଲୋଜି ଓ ଏଆଇ କ୍ଷେତ୍ରରେ କାମ କରୁଥିବା କିଛି ମହିଳାଙ୍କ ମଧ୍ୟରେ ଏକ ଗୁପ୍ତ ତାଲିକା ଘୂରି ବୁଲୁଛି। ଏହି ତାଲିକାରେ ୧୦୦ରୁ ଅଧିକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାଁ ଥିବା ଦାବି କରାଯାଇଛି। ସେମାନଙ୍କ ମଧ୍ୟରେ ନିବେଶକ, ବ୍ୟବସାୟୀ ଓ ଟେକ୍ କ୍ଷେତ୍ର ସହ ଜଡ଼ିତ ବ୍ୟକ୍ତି ଥିବା କୁହାଯାଉଛି। ଏହି ତାଲିକାରେ ଥିବା କିଛି ବ୍ୟକ୍ତିଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ, ଦୁଷ୍କର୍ମ ଓ ନିଶାଦ୍ରବ୍ୟ ସମ୍ପର୍କିତ ଗୁରୁତର ଅଭିଯୋଗ ଥିବା ରିପୋର୍ଟରେ ଦାବି କରାଯାଇଛି।
ରିପୋର୍ଟ ଅନୁସାରେ, ଟେକ୍ କ୍ଷେତ୍ରର କିଛି ମହିଳା ନିଜ ସୁରକ୍ଷା ପାଇଁ ପରସ୍ପର ମଧ୍ୟରେ ଗୁପ୍ତ ଭାବେ ସୂଚନା ବାଣ୍ଟୁଛନ୍ତି। ବିଶେଷକରି ନୂଆ କରି ସିଲିକନ୍ ଭ୍ୟାଲିକୁ ଆସୁଥିବା ଯୁବତୀ ଓ କର୍ମଚାରୀମାନଙ୍କୁ ଏପରି ନେଟୱାର୍କ ମାଧ୍ୟମରେ ସତର୍କ କରାଯାଉଥିବା କୁହାଯାଇଛି। ଅଭିଯୋଗ କରୁଥିବା କିଛି ମହିଳାଙ୍କ ମନରେ କ୍ୟାରିୟର ଉପରେ ପ୍ରଭାବ ପଡ଼ିବା ଏବଂ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ବିବାଦରେ ଫସିବାର ଭୟ ରହୁଥିବା ମଧ୍ୟ ରିପୋର୍ଟରେ ଉଲ୍ଲେଖ ହୋଇଛି। ଏହି କାରଣରୁ କିଛି ଘଟଣା ସାର୍ବଜନୀନ ଭାବେ ଅଭିଯୋଗ ହୋଇନଥିବା ଦାବି କରାଯାଇଛି।
ଏହି ଘଟଣାରେ ‘ହ୍ୟାକର ହାଉସ୍’ଗୁଡ଼ିକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏଠାରେ ଯୁବ ଉଦ୍ୟୋଗୀ, ନିବେଶକ ଓ ଟେକ୍ କର୍ମଚାରୀମାନେ ଏକାଠି ରହି ନେଟୱାର୍କିଂ କରିଥାନ୍ତି। ରିପୋର୍ଟରେ ଏପରି ଏକ ହ୍ୟାକର ହାଉସ୍ରେ ଘଟିଥିବା ଏକ ପୁରୁଣା ଦୁଷ୍କର୍ମ ଅଭିଯୋଗର ମଧ୍ୟ ଉଲ୍ଲେଖ ରହିଛି। ତେବେ ଗୁପ୍ତ ତାଲିକାରେ ଥିବା ଅଭିଯୋଗଗୁଡ଼ିକର ସ୍ୱାଧୀନ ଭାବେ ସମସ୍ତ ସତ୍ୟତା ପ୍ରମାଣିତ ହୋଇନାହିଁ। ତେଣୁ ତାଲିକାରେ ନାଁ ଥିବା ମାତ୍ରରୁ କୌଣସି ବ୍ୟକ୍ତି ଦୋଷୀ ବୋଲି ଧରାଯାଇପାରିବ ନାହିଁ। ତଥାପି ଏହି ରିପୋର୍ଟ ସିଲିକନ୍ ଭ୍ୟାଲିର କାର୍ଯ୍ୟସ୍ଥଳରେ ମହିଳାଙ୍କ ସୁରକ୍ଷା, ଅଭିଯୋଗ ବ୍ୟବସ୍ଥା ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ଆଣିବାର ଚ୍ୟାଲେଞ୍ଜକୁ ନେଇ ଚର୍ଚ୍ଚା ବଢ଼ାଇଛି।

