Smit Machchhar: ଆକାଶରେ ହଠାତ୍ ପାଇଲଟ୍ଙ୍କୁ ଛୁରାମାଡ଼, ସାହସ ଦେଖାଇଲେ ଭାରତୀୟ ପାଇଲଟ୍; ସ୍ମିତ୍ଙ୍କୁ ନେତାନ୍ୟାହୁ-ଟ୍ରମ୍ପଙ୍କ ପ୍ରଶଂସା
ନୂଆଦିଲ୍ଲୀ: ମଝି ଆକାଶରେ ବଡ଼ ବିପଦ। ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଏଦୁବାଇର FZ1073 ବିମାନର କକପିଟ୍ରେ ଘଟିଥିବା ଘଟଣା ପରେ ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ୍ ମଚ୍ଛରଙ୍କ ସାହସକୁ ନେଇ ଚର୍ଚ୍ଚା ଜୋର ଧରିଛି। ରିପୋର୍ଟ ଅନୁସାରେ, ଉଡ଼ାଣ ସମୟରେ ସହ-ପାଇଲଟ୍ଙ୍କ ସହ ସ୍ମିତ୍ଙ୍କ ମଧ୍ୟରେ ଗୁରୁତର ଘଟଣା ଘଟିଥିଲା। ଏହା ପରେ ବିମାନଟି ହଠାତ୍ ଦ୍ରୁତ ଭାବେ ଉଚ୍ଚତା ହରାଇଥିଲା। ଗୁରୁତର ଆହତ ହୋଇଥିଲେ ମଧ୍ୟ ସ୍ମିତ୍ କକପିଟ୍ର ଦ୍ୱାର ଖୋଲିବାରେ ସଫଳ ହୋଇଥିଲେ। ଏହା ପରେ ଯାତ୍ରୀ ଓ କ୍ରୁ ସଦସ୍ୟମାନେ ଭିତରକୁ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବାରେ ସହାୟତା କରିଥିଲେ।
ଏହି ଘଟଣାରେ ବିମାନରେ ଥିବା ୧୭୪ ଜଣଙ୍କ ଜୀବନ ରକ୍ଷା ପାଇଥିଲା। ପରେ ବିମାନଟି ସାଉଦି ଆରବର ତାବୁକ୍ରେ ସୁରକ୍ଷିତ ଭାବେ ଜରୁରୀ ଅବତରଣ କରିଥିଲା। ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ସ୍ମିତ୍ ମଚ୍ଛରଙ୍କୁ ପ୍ରଶଂସା କରି ତାଙ୍କ ସାହସକୁ ସଲାମ କରିଛନ୍ତି। ନେତାନ୍ୟାହୁଙ୍କ କହିବା ଅନୁସାରେ, ଗୁରୁତର ଆହତ ହେବା ପରେ ମଧ୍ୟ ସ୍ମିତ୍ ପ୍ରତିରୋଧ କରି କକପିଟ୍ର ଦ୍ୱାର ଖୋଲିଥିଲେ, ଯାହା ଯାତ୍ରୀ ଓ କ୍ରୁଙ୍କୁ ହସ୍ତକ୍ଷେପ କରିବାର ସୁଯୋଗ ଦେଇଥିଲା।
ସେପଟେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସ୍ମିତ୍ ମଚ୍ଛରଙ୍କୁ ‘ହିରୋ’ ବୋଲି ପ୍ରଶଂସା କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ସେ ନେତାନ୍ୟାହୁଙ୍କ ସହ ଏହି ଘଟଣା ବିଷୟରେ କଥା ହୋଇଛନ୍ତି। ତେବେ ଘଟଣାର ସମସ୍ତ ବିବରଣୀ ନେଇ ତଦନ୍ତ ଜାରି ରହିଥିବାରୁ କେତେକ ତଥ୍ୟ ଏପର୍ଯ୍ୟନ୍ତ ତଦନ୍ତ ଅଧୀନରେ ରହିଛି।

