UPSC Centenary: ୧୦୦ ବର୍ଷ ପୂରଣ କଲା UPSC, ଭାରତ ମଣ୍ଡପମ୍ରେ ଶତାବ୍ଦୀ ସମାରୋହରେ ମୋଦୀ
ନୂଆଦିଲ୍ଲୀ: ସଂଘ ଲୋକସେବା ଆୟୋଗ (UPSC) ଏହାର ୧୦୦ ବର୍ଷ ପୂରଣ କରିଛି। ଏହି ଅବସରରେ ଅକ୍ଟୋବର ୧ ତାରିଖରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଶତାବ୍ଦୀ ସମାରୋହ ଆୟୋଜିତ ହୋଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମିଲ ହୋଇ ଉଦ୍ବୋଧନ ଦେଇଥିଲେ। କାର୍ଯ୍ୟକ୍ରମରେ UPSCର ଦୀର୍ଘ ଯାତ୍ରା, ଲୋକସେବାରେ ଏହାର ଭୂମିକା ଏବଂ ଆଗାମୀ ଦିନରେ ପରୀକ୍ଷା ବ୍ୟବସ୍ଥାରେ ସମ୍ଭାବ୍ୟ ସୁଧାର ନେଇ ଆଲୋଚନା ହୋଇଥିଲା।
UPSCର ପ୍ରତିଷ୍ଠା ୧ ଅକ୍ଟୋବର ୧୯୨୬ରେ ହୋଇଥିଲା। ପରେ ଭାରତୀୟ ସମ୍ବିଧାନ ଲାଗୁ ହେବା ସହ ଏହା ଏକ ସାମ୍ବିଧାନିକ ସଂସ୍ଥାର ମାନ୍ୟତା ପାଇଥିଲା। ୨୦୨୫ ଅକ୍ଟୋବର ୧ରୁ UPSCର ଶତାବ୍ଦୀ ବର୍ଷ ପାଳନ ଆରମ୍ଭ ହୋଇଥିଲା ଏବଂ ୨୦୨୬ ଅକ୍ଟୋବର ୧ରେ ଏହାର ସମାପନ ସମାରୋହ ଆୟୋଜିତ ହୋଇଛି।
ଏହି ଅବସରରେ ପ୍ରଧାନମନ୍ତ୍ରୀ UPSCର ଶତାବ୍ଦୀ ପୂର୍ତ୍ତି ସ୍ମାରକ ମୁଦ୍ରା ଓ ଡାକ ଟିକେଟ୍ ଉନ୍ମୋଚନ କରିଥିଲେ। ସେହିପରି UPSC ଓ ଦେଶର ଲୋକସେବା ଆୟୋଗଗୁଡ଼ିକ ସମ୍ପର୍କିତ ୧୦୦ଟି ଗୁରୁତ୍ୱପୂର୍ଣ୍ଣ ରାୟ ଉପରେ ଆଧାରିତ ଏକ ପୁସ୍ତକ ମଧ୍ୟ ପ୍ରକାଶ କରାଯାଇଥିଲା। ଦୁଇଦିନିଆ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟ ଲୋକସେବା ଆୟୋଗର ଅଧ୍ୟକ୍ଷ ଓ ସଦସ୍ୟ, କେନ୍ଦ୍ର ସରକାରଙ୍କ ଅଧିକାରୀ, ଶିକ୍ଷାବିତ୍ ଏବଂ UPSCର ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ।

