Mahanadi Water Dispute: ମହାନଦୀ ଜଳ ବିବାଦ ନେଇ ଦିଲ୍ଲୀରେ ମହାବୈଠକ, ଆଲୋଚନା ସକାରାତ୍ମକ; ସମାଧାନ ନେଇ ଆଶା ବଢ଼ିଲା
ଭୁବନେଶ୍ୱର: ନୂଆଦିଲ୍ଲୀର କର୍ତ୍ତବ୍ୟ ଭବନରେ ମହାନଦୀ ଜଳ ବିବାଦକୁ ନେଇ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ଓ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର୍. ପାଟିଲ ଉପସ୍ଥିତ ଥିଲେ। ଏହା ସହ CWC ଅଧ୍ୟକ୍ଷ, ଉଭୟ ରାଜ୍ୟର ମୁଖ୍ୟ ସଚିବ ଏବଂ ଜଳଶକ୍ତି ମନ୍ତ୍ରଣାଳୟ ସହ ଉଭୟ ରାଜ୍ୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ଆଲୋଚନାରେ ସାମିଲ ହୋଇଥିଲେ। ବୈଠକରେ ମହାନଦୀର ଜଳ ବଣ୍ଟନ, ଜଳ ପରିଚାଳନା ଏବଂ ଉଭୟ ରାଜ୍ୟର ଆବଶ୍ୟକତା ଓ ସ୍ୱାର୍ଥ ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି।
ବୈଠକ ପରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଲୋଚନା ସକାରାତ୍ମକ ରହିଥିବା କହିଛନ୍ତି। ମହାନଦୀ ଜଳ ବିବାଦର ସମାଧାନ ଦିଗରେ ବାଟ ଫିଟୁଥିବା ସେ କହିବା ସହ ଆଗକୁ କେନ୍ଦ୍ରୀୟ ଜଳ ଆୟୋଗ (CWC) ଏହି ପ୍ରସଙ୍ଗରେ ପଦକ୍ଷେପ ନେବ ବୋଲି ସୂଚନା ଦେଇଛନ୍ତି। ମହାନଦୀ ଓଡ଼ିଶାର ଜୀବନରେଖା ବୋଲି ଉଲ୍ଲେଖ କରି ସେ କହିଛନ୍ତି ଯେ ପାନୀୟ ଜଳ, ଜଳସେଚନ ଓ ଅନ୍ୟ ଆବଶ୍ୟକତା ପାଇଁ ଓଡ଼ିଶାକୁ ଆବଶ୍ୟକ ପରିମାଣର ଜଳ ମିଳିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି।
ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବଣ୍ଟନକୁ ନେଇ ଦୀର୍ଘବର୍ଷ ଧରି ବିବାଦ ରହିଛି। ତେବେ ଗତ କିଛି ମାସ ଧରି ଉଭୟ ରାଜ୍ୟ ମଧ୍ୟରେ ଆଲୋଚନା ଓ ବୈଷୟିକ ସହଯୋଗ ମାଧ୍ୟମରେ ସମାଧାନ ଖୋଜିବା ପାଇଁ ପ୍ରୟାସ ଚାଲିଛି। ପୂର୍ବରୁ CWC ନେବାକୁ ଥିବା ନିଷ୍ପତ୍ତିକୁ ଗ୍ରହଣ କରିବା ନେଇ ଉଭୟ ରାଜ୍ୟ ଲିଖିତ ଭାବେ ସହମତି ଦେଇଥିବା ମଧ୍ୟ କୁହାଯାଇଛି। ତେବେ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ଜଳ ବଣ୍ଟନ ଚୁକ୍ତି ଘୋଷଣା ହୋଇନଥିବାରୁ, ଆଗାମୀ CWC ପଦକ୍ଷେପ ଉପରେ ନଜର ରହିଛି।

