Captain Smit Machchhar: ସାହସୀ ପାଇଲଟ୍ ସ୍ମିତ୍ ମଚ୍ଛାରଙ୍କ ସହ କଥା ହେଲେ ମୋଦି! ସାହସ ଓ ଉପସ୍ଥିତ ବୁଦ୍ଧିର କଲେ ପ୍ରଶଂସା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଫ୍ଲାଏଦୁବାଇର କ୍ୟାପ୍ଟେନ୍ ସ୍ମିତ୍ ମଚ୍ଛାରଙ୍କ ସହ ଭିଡିଓ କଲ୍ରେ କଥା ହୋଇ ତାଙ୍କ ସାହସ ଓ ଉପସ୍ଥିତ ବୁଦ୍ଧିର ପ୍ରଶଂସା କରିଛନ୍ତି। ବୁଧବାର ଦୁବାଇରୁ ତେଲ୍ ଆଭିଭ୍ ଯାଉଥିବା ବେଳେ ସହ-ପାଇଲଟ୍ ତାଙ୍କୁ ଛୁରିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ବିମାନଟି ଅଳ୍ପ ସମୟ ମଧ୍ୟରେ ପ୍ରାୟ ୧୪ ହଜାର ଫୁଟ୍ ତଳକୁ ଖସିଥିଲା। ବିମାନରେ ୧୭୦ରୁ ଅଧିକ ଯାତ୍ରୀ ଓ କ୍ରୁ ସଦସ୍ୟ ଥିବା ବେଳେ ଅନ୍ୟ ଦୁଇ ପାଇଲଟ୍ଙ୍କ ସହାୟତାରେ ବିମାନଟି ସାଉଦି ଆରବର ତାବୁକ୍ରେ ସୁରକ୍ଷିତ ଅବତରଣ କରିଥିଲା।
ହସ୍ପିଟାଲ୍ରୁ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇ କ୍ୟାପ୍ଟେନ୍ ସ୍ମିତ୍ ମଚ୍ଛାର କହିଛନ୍ତି ଯେ, ସେତେବେଳେ ସେ ନିଜ ଜୀବନ ପାଇଁ ସଂଘର୍ଷ କରୁଥିଲେ। ତାଙ୍କ ଶରୀରରେ ଅନେକ ଆଘାତ ଲାଗିଥିଲା ଏବଂ ସେ ତଳେ ପଡ଼ିଯାଇଥିଲେ। କିନ୍ତୁ ବିମାନଟି ଦ୍ରୁତ ଗତିରେ ତଳକୁ ଖସୁଥିବା ଅନୁଭବ କରି ସେ ବୁଝିଥିଲେ ଯେ କିଛି ନକଲେ ବିମାନରେ ଥିବା ସମସ୍ତଙ୍କ ଜୀବନ ବିପଦରେ ପଡ଼ିପାରେ। ୧୭ ବର୍ଷ ଧରି ବିମାନ ଚଳାଇବାର ଅଭିଜ୍ଞତା ଏବଂ ଗତ ୧୧ ବର୍ଷ ଧରି କ୍ୟାପ୍ଟେନ୍ ଭାବେ କାର୍ଯ୍ୟ କରିଥିବାରୁ ବିମାନର ଅବସ୍ଥା ସେ ଅନୁଭବ କରିପାରିଥିବା କହିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ କ୍ୟାପ୍ଟେନ୍ ମଚ୍ଛରଙ୍କୁ କହିଛନ୍ତି ଯେ, ତାଙ୍କ ସାହସ, ଧୈର୍ଯ୍ୟ ଓ ଉପସ୍ଥିତ ବୁଦ୍ଧି ଅନେକ ଜୀବନ ବଞ୍ଚାଇଛି। ଗୁରୁତର ଆହତ ହୋଇଥିଲେ ମଧ୍ୟ ସେ ନିଜ ଜୀବନ ଅପେକ୍ଷା ବିମାନରେ ଥିବା ଯାତ୍ରୀଙ୍କ ଜୀବନକୁ ଗୁରୁତ୍ୱ ଦେଇଥିବା ମୋଦୀ କହିଛନ୍ତି। କ୍ୟାପ୍ଟେନ୍ ମଚ୍ଛରଙ୍କ ସାହସ ଦେଶର ଗୌରବ ବଢ଼ାଇଛି ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି।

