HDFC Bank New CEO: ଅନୁପ ବାଗଚୀ ହେଲେ HDFC ବ୍ୟାଙ୍କର ନୂଆ MD-CEO, ଅକ୍ଟୋବର ୨୭ରୁ ସମ୍ଭାଳିବେ ଦାୟିତ୍ୱ
ନୂଆଦିଲ୍ଲୀ: ଭାରତର ପ୍ରମୁଖ ଘରୋଇ ବ୍ୟାଙ୍କ HDFC Bankର ନୂଆ ମ୍ୟାନେଜିଂ ଡାଇରେକ୍ଟର (MD) ଓ CEO ଭାବେ ଅନୁପ ବାଗଚୀଙ୍କୁ ନିଯୁକ୍ତ କରାଯାଇଛି। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI)ର ଅନୁମୋଦନ ପରେ ବ୍ୟାଙ୍କ ପକ୍ଷରୁ ଏହି ନିଯୁକ୍ତି ଘୋଷଣା କରାଯାଇଛି। ତାଙ୍କ କାର୍ଯ୍ୟକାଳ ୩ ବର୍ଷ ରହିବ ଏବଂ ଅକ୍ଟୋବର ୨୭, ୨୦୨୬ରୁ ସେ ଦାୟିତ୍ୱ ଗ୍ରହଣ କରିବେ।
ବର୍ତ୍ତମାନ ଅନୁପ ବାଗଚୀ ICICI Prudential Life Insuranceର MD ଓ CEO ଭାବେ କାର୍ଯ୍ୟରତ ଅଛନ୍ତି। ୧୯୯୨ରୁ ICICI Group ସହ ଜଡ଼ିତ ଥିବା ବାଗଚୀଙ୍କର ବ୍ୟାଙ୍କିଂ, କ୍ୟାପିଟାଲ ମାର୍କେଟ୍, ୱେଲ୍ଥ ମ୍ୟାନେଜମେଣ୍ଟ ଓ ଇନ୍ସୁରାନ୍ସ କ୍ଷେତ୍ରରେ ୩ ଦଶନ୍ଧିରୁ ଅଧିକ ଅଭିଜ୍ଞତା ରହିଛି। ସେ ICICI Bankର Executive Director ଏବଂ ICICI Securitiesର CEO ଓ MD ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି।
ଅନୁପ ବାଗଚୀ HDFC Bankର ବର୍ତ୍ତମାନର MD ଓ CEO ଶଶିଧର ଜଗଦୀଶନଙ୍କ ସ୍ଥାନ ନେବେ। ଜଗଦୀଶନଙ୍କ ବର୍ତ୍ତମାନର କାର୍ଯ୍ୟକାଳ ଅକ୍ଟୋବର ୨୬ରେ ଶେଷ ହେବ ଏବଂ ସେ ଆଉ ଏକ କାର୍ଯ୍ୟକାଳ ପାଇଁ ପୁନଃନିଯୁକ୍ତି ଚାହୁଁନଥିବା କଥା ପୂର୍ବରୁ ଜଣାଇଥିଲେ। ଏହା ପରେ ଅକ୍ଟୋବର ୨୭ରୁ ବାଗଚୀ HDFC Bankର ନେତୃତ୍ୱ ନେବେ।

