Gujarat UCC: ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ଗୁଜରାଟରେ ଲାଗୁ ହେବ UCC, ଉତ୍ତରାଖଣ୍ଡ ପରେ ଦ୍ୱିତୀୟ ରାଜ୍ୟ
ଗୁଜରାଟ: ଗୁଜରାଟରେ Uniform Civil Code (UCC) ଲାଗୁ କରିବା ପାଇଁ ଆଇନଗତ ପ୍ରକ୍ରିୟାର ଏକ ପ୍ରମୁଖ ପର୍ଯ୍ୟାୟ ପୂରଣ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁଜରାଟ UCC ବିଲ୍, ୨୦୨୬ରେ ମଞ୍ଜୁରୀ ଦେଇଛନ୍ତି। ଏହାପରେ ଉତ୍ତରାଖଣ୍ଡ ପରେ ଗୁଜରାଟ UCC ପାଇଁ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଥିବା ଦେଶର ଦ୍ୱିତୀୟ ରାଜ୍ୟ ହୋଇଛି।
ଗୁଜରାଟ ସରକାର ଏବେ UCC ସମ୍ପର୍କିତ ନିୟମାବଳୀ ଘୋଷଣା କରିବ। ଏହା ପରେ ରାଜ୍ୟରେ ଆଇନ କାର୍ଯ୍ୟକାରୀ ହେବ। ଏହାପୂର୍ବରୁ ମାର୍ଚ୍ଚ ୨୦୨୬ରେ ଗୁଜରାଟ ବିଧାନସଭାରେ ପ୍ରାୟ ସାଢ଼େ ୭ ଘଣ୍ଟାର ଆଲୋଚନା ପରେ UCC ବିଲ୍ ପାରିତ ହୋଇଥିଲା। ସେତେବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ବିଲ୍ ପାସ୍ ହେବାକୁ ନେଇ ଗୁଜରାଟ ସରକାର ଓ ବିଧାୟକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।
UCCକୁ ନେଇ ରାଜ୍ୟରେ ରାଜନୈତିକ ମତଭେଦ ମଧ୍ୟ ରହିଛି। ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ମତରେ, UCC ସମସ୍ତଙ୍କୁ ସମାନ ଅଧିକାର ଦେବ। ଅନ୍ୟପକ୍ଷରେ ବିରୋଧୀ ଦଳଗୁଡ଼ିକ ବିଲ୍କୁ ନେଇ ଆପତ୍ତି ଉଠାଇଛନ୍ତି ଏବଂ ଏହାକୁ ନେଇ ଭିନ୍ନ ରାଜନୈତିକ ମତ ପ୍ରକାଶ କରିଛନ୍ତି। ଏବେ ସରକାରଙ୍କ ନିୟମାବଳୀ ଘୋଷଣା ଓ ଆଇନର କାର୍ଯ୍ୟକାରିତା ଉପରେ ନଜର ରହିଛି।

