Unnao News: ଚଳନ୍ତା କାରରେ ହଠାତ୍ ବିଗିଡ଼ିଲା ଆଇନଜୀବୀଙ୍କ ସ୍ୱାସ୍ଥ୍ୟ, ରାସ୍ତାରେ ଗାଡ଼ି ଅଟକାଇ ପଥଚାରୀ ବଞ୍ଚାଇଲେ ଜୀବନ
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଉନ୍ନାଓରେ ଚଳନ୍ତା କାରରେ ଜଣେ ଆଇନଜୀବୀଙ୍କ ହଠାତ୍ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯିବା ପରେ ଏକ ବଡ଼ ଅଘଟଣରୁ ତାଙ୍କ ଜୀବନ ବଞ୍ଚିଯାଇଛି। ଆଇନଜୀବୀ ରିଙ୍କୁ ଯାଦବ କାର ଚଳାଇ ଯାଉଥିବା ସମୟରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ଫଳରେ ନିୟନ୍ତ୍ରଣ ହରାଇ କାରଟି ରାସ୍ତାରେ ଏକାଧିକ ଗାଡ଼ିକୁ ଧକ୍କା ଦେଇ ଅଟକି ଯାଇଥିଲା।
ଘଟଣା ଦେଖି ରାସ୍ତାରେ ଥିବା ଲୋକମାନେ ତୁରନ୍ତ କାର ନିକଟକୁ ଦୌଡ଼ି ଆସିଥିଲେ। କାରର କବାଟ ଖୋଲିବା ସମ୍ଭବ ନହେବାରୁ ପଥଚାରୀ ମାନେ ଝରକା କାଚ ଭାଙ୍ଗି ରିଙ୍କୁ ଯାଦବଙ୍କୁ ବାହାରକୁ ଆଣିଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିବା ଦେଖି ଲୋକମାନେ ତୁରନ୍ତ CPR ଦେଇଥିଲେ। ଏହାପରେ ତାଙ୍କୁ ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲା।
ଡାକ୍ତରଙ୍କ କହିବା ଅନୁସାରେ, ଘଟଣା ପରେ ଠିକ୍ ସମୟରେ ପଥଚାରୀ ମାନେ ସହାୟତା କରିବା ଏବଂ CPR ଦେବା ଯୋଗୁଁ ଆଇନଜୀବୀଙ୍କ ଜୀବନ ବଞ୍ଚାଇବା ସମ୍ଭବ ହୋଇଥିଲା। ରାସ୍ତାରେ ଉପସ୍ଥିତ ଲୋକଙ୍କ ତତ୍ପରତା ଯୋଗୁଁ ଏକ ବଡ଼ ଅଘଟଣ ଟଳିଯାଇଥିବା କୁହାଯାଉଛି।

