PMO Officer Fraud: ନିଜକୁ PMO ଅଧିକାରୀ ପରିଚୟ ଦେଇ ମନ୍ତ୍ରୀଙ୍କୁ ଭେଟିଥିଲେ ମହିଳା, ଗିରଫ କଲା ପୋଲିସ
ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ଜଣେ ମହିଳା ନିଜକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (PMO)ର ଜଣେ ବରିଷ୍ଠ ଅଧିକାରୀ ଭାବେ ପରିଚୟ ଦେଇ ରାଜ୍ୟ ସଚିବାଳୟ ‘ନବାନ୍ନ’ରେ ପ୍ରବେଶ କରିବା ଏବଂ ଜଣେ ମନ୍ତ୍ରୀଙ୍କୁ ଭେଟିବା ଅଭିଯୋଗରେ ଗିରଫ ହୋଇଛନ୍ତି। ପୋଲିସ ଡାକ୍ତର ଆକାଂକ୍ଷା ବିଦ୍ୟାର୍ଥୀଙ୍କୁ ଏହି ମାମଲାରେ ଗିରଫ କରିଛି। ସେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସହ ନିଜର ସମ୍ପର୍କ ଥିବା ଦାବି କରି ପଶ୍ଚିମବଙ୍ଗର PWD ମନ୍ତ୍ରୀ ଅଜୟ ପୋଦ୍ଦାରଙ୍କ ସହ ମିଟିଂ କରିଥିବା ପୋଲିସ ସୂଚନା ଦେଇଛି।
ମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ ମହିଳାଙ୍କ କିଛି କଥାବାର୍ତ୍ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ଏହାପରେ ତାଙ୍କ ପରିଚୟ ଓ ଦାବି ସମ୍ପର୍କରେ ଯାଞ୍ଚ କରାଯିବାରୁ ସେ PMOର ଅଧିକାରୀ ନୁହନ୍ତି ବୋଲି ଜଣାପଡ଼ିଥିଲା। ଘଟଣା ପରେ ଆକାଂକ୍ଷା ଦିଲ୍ଲୀ ପଳାଇଯାଇଥିବା ବେଳେ ପୋଲିସ ତାଙ୍କୁ ସେଠାରୁ ଗିରଫ କରି ହାୱଡ଼ାକୁ ଆଣିଛି।
ଏବେ ପୋଲିସ ଘଟଣାର ବିଭିନ୍ନ ଦିଗରୁ ତଦନ୍ତ କରୁଛି। ସେ କିପରି ଭାବେ ରାଜ୍ୟ ସଚିବାଳୟରେ ପ୍ରବେଶ କରି ଜଣେ ମନ୍ତ୍ରୀଙ୍କ ସହ ମିଟିଂ ପାଇଲେ, ତାହା ଯାଞ୍ଚ କରାଯାଉଛି। ଏହା ସହ ସେ ପୂର୍ବରୁ ଏଭଳି ପରିଚୟ ଦେଇ ଅନ୍ୟ କୌଣସି ଅଧିକାରୀ କିମ୍ବା ନେତାଙ୍କୁ ଭେଟିଥିଲେ କି ନାହିଁ, ସେନେଇ ମଧ୍ୟ ତଦନ୍ତ ଚାଲିଛି।

