ସରପଞ୍ଚ ଚାମେଲି ଓଝାଙ୍କ ମାମଲାରେ ତଦନ୍ତ କରିବ ଜାତୀୟ ମାନବାଧିକାର କମିସନ(NHRC)! ଆସିବ ୩ ଜଣିଆ ଟିମ୍
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ୍ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ସହ ଜଡ଼ିତ ବିବାଦ ଏବେ ଜାତୀୟ ମାନବାଧିକାର କମିସନ୍ (NHRC)ର ତଦନ୍ତ ପରିସରକୁ ଆସିଛି। ଅଭିଯୋଗର ଯାଞ୍ଚ ପାଇଁ ଅକ୍ଟୋବର ୫ରେ NHRCର ୩ ଜଣିଆ ଟିମ୍ କେନ୍ଦ୍ରାପଡ଼ା ଗସ୍ତ କରିବାର ସୂଚନା ମିଳିଛି। ଏନେଇ କମିସନ୍ ପକ୍ଷରୁ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଆଗୁଆ ସୂଚନା ଦିଆଯାଇଛି।
ତଦନ୍ତ ସମୟରେ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଘଟଣା ସହ ଜଡ଼ିତ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରିପାରେ। ମହାକାଳପଡ଼ା ପୋଲିସ, ବିଡିଓ, ବ୍ଲକ୍ କର୍ମଚାରୀ, ପ୍ରତ୍ୟକ୍ଷଦର୍ଶୀ, ତଦନ୍ତକାରୀ ଅଧିକାରୀ ଏବଂ ଅନ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କଠାରୁ ତଥ୍ୟ ନିଆଯିବା ସମ୍ଭାବନା ରହିଛି। ଘଟଣା ସମ୍ପର୍କିତ ଦସ୍ତାବିଜ ଓ ତଦନ୍ତ ସମ୍ବନ୍ଧୀୟ ତଥ୍ୟ ମଧ୍ୟ ଯାଞ୍ଚ କରାଯାଇପାରେ।
ସୂଚନା ଅନୁସାରେ, ଗତ ଜୁନ୍ ୧୧ ତାରିଖରେ ମହାକାଳପଡ଼ା ବିଡିଓଙ୍କ କାର୍ଯ୍ୟାଳୟରେ ଘଟିଥିବା ଘଟଣାକୁ ନେଇ ଚାମେଲି ଓଝା ଦୁର୍ବ୍ୟବହାର ଓ ମାରପିଟର ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ, ଘଟଣାକୁ ନେଇ ପୋଲିସ ଓ ପ୍ରଶାସନ ପକ୍ଷରୁ ମଧ୍ୟ ଭିନ୍ନ ଅଭିଯୋଗ ରହିଛି ଏବଂ ମାମଲାରେ ଏକାଧିକ ଏଫ୍ଆଇଆର୍ ହୋଇଥିବା ରିପୋର୍ଟ ହୋଇଛି। ଏବେ NHRC ଟିମ୍ର ତଦନ୍ତକୁ ନେଇ ମାମଲା ପୁଣି ଚର୍ଚ୍ଚାରେ ରହିଛି।

