Sundargarh PNB Fire: ସୁନ୍ଦରଗଡ଼ ପିଏନ୍ବି ଶାଖାରେ ଭୟଙ୍କର ଅଗ୍ନିକାଣ୍ଡ! ଜରୁରୀ କାଗଜପତ୍ର ସହ ଆସବାବପତ୍ର ପୋଡି ଯାଇଥିବା ସୂଚନା
ସୁନ୍ଦରଗଡ଼: ସୁନ୍ଦରଗଡ଼ ସହରରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ଶାଖାରେ ସକାଳୁ ଅଗ୍ନିକାଣ୍ଡ ଘଟିଛି। ସକାଳ ପ୍ରାୟ ୮ଟା ସମୟରେ ମୁଖ୍ୟ ଡାକଘର ସମ୍ମୁଖରେ ଥିବା ବ୍ୟାଙ୍କ ଶାଖା ଭିତରୁ ଧୂଆଁ ବାହାରୁଥିବା ପରେ ନିଆଁ ଲାଗିଥିବା ଜଣାପଡ଼ିଥିଲା। ଅଗ୍ନିକାଣ୍ଡ ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା।
ନିଆଁରେ ବ୍ୟାଙ୍କ ଭିତରେ ଥିବା କିଛି ଜରୁରୀ କାଗଜପତ୍ର ଓ ଆସବାବପତ୍ର ପୋଡ଼ି ଯାଇଥିବା ସୂଚନା ମିଳିଛି। ଅଗ୍ନିଶମ କର୍ମଚାରୀମାନେ ଚେଷ୍ଟା କରି ନିଆଁକୁ ଆୟତ୍ତ କରିଥିଲେ। ତେବେ ବ୍ୟାଙ୍କ ଭିତରେ ପ୍ରବଳ ଧୂଆଁ ଭରିଯାଇଥିବାରୁ ଅଗ୍ନିକାଣ୍ଡରେ ପ୍ରକୃତରେ କେତେ ପରିମାଣର କ୍ଷୟକ୍ଷତି ହୋଇଛି, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।
ପ୍ରାଥମିକ ଭାବେ ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏବଂ କ୍ଷୟକ୍ଷତି ସମ୍ପର୍କରେ ଯାଞ୍ଚ ପରେ ଅଧିକ ସ୍ପଷ୍ଟ ତଥ୍ୟ ମିଳିବ। ଜନଗହଳିପୂର୍ଣ୍ଣ ଅଞ୍ଚଳରେ ବ୍ୟାଙ୍କରେ ଏଭଳି ଅଗ୍ନିକାଣ୍ଡ ଘଟିବାରୁ କିଛି ସମୟ ପାଇଁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଦେଖାଦେଇଥିଲା।

