Rajpal Yadav Cheque Bounce Case: ୫ କୋଟି ଟଙ୍କା ଜମା ପ୍ରସଙ୍ଗରେ ଅଭିନେତାଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ତାଗିଦ୍
ନୂଆଦିଲ୍ଲୀ: ଚେକ୍ ବାଉନ୍ସ ସମ୍ପର୍କିତ ୭ଟି ମାମଲାରେ ବଲିଉଡ୍ ଅଭିନେତା ରାଜପାଲ ଯାଦବଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ଭର୍ତ୍ସନାର ସାମ୍ନା କରିବାକୁ ପଡ଼ିଛି। କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ, ତାଙ୍କୁ ଅତିକମ୍ରେ ୨ କୋଟି ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ ଦାଖଲ କରିବାର ଥିଲା। କିନ୍ତୁ ଶୁଣାଣି ସମୟରେ ମାତ୍ର ୫୦ ଲକ୍ଷ ଟଙ୍କାର ଡିମାଣ୍ଡ ଡ୍ରାଫ୍ଟର କପି ଦାଖଲ କରାଯାଇଥିବାରୁ କୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ।
ଶୁଣାଣି ସମୟରେ ଜଷ୍ଟିସ୍ ଜୟମାଲ୍ୟ ବାଗଚୀ କଡ଼ା ଟିପ୍ପଣୀ ଦେଇ କହିଥିଲେ, “ଆପଣଙ୍କ ସ୍ଥାନ ଜେଲ୍ରେ।” କୋର୍ଟ କହିଥିଲେ ଯେ, ପୂର୍ବରୁ ୫ କୋଟି ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ଏଥିପାଇଁ ଯଥେଷ୍ଟ ସମୟ ମଧ୍ୟ ଦିଆଯାଇସାରିଛି। ତଥାପି ନିର୍ଦ୍ଦେଶ ଅନୁସାରେ ଅର୍ଥ ଜମା ନହେବାକୁ ନେଇ କୋର୍ଟ ଅସନ୍ତୋଷ ଜଣାଇଥିଲେ।
ତେବେ ରାଜପାଲ ଯାଦବଙ୍କୁ ଆଉ ଏକ ସୁଯୋଗ ଦେଇ ମାମଲାର ପରବର୍ତ୍ତୀ ଶୁଣାଣି ବୁଧବାରକୁ ଧାର୍ଯ୍ୟ କରାଯାଇଛି। ଆଗାମୀ ଶୁଣାଣିରେ ସେ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଅର୍ଥ ଜମା ସମ୍ପର୍କରେ କ’ଣ ପଦକ୍ଷେପ ନେଇଛନ୍ତି, ତାହା ଗୁରୁତ୍ୱପୂର୍ଣ୍ଣ ହେବ।

