Kartik Brata 2026: ପୁରୀରେ ହବିଷ୍ୟାଳିଙ୍କ ପାଇଁ ଆଜିଠୁ ଆରମ୍ଭ ଅନଲାଇନ୍ ଆବେଦନ
ପୁରୀ: ପୁରୀରେ କାର୍ତ୍ତିକ ବ୍ରତ ପାଳନ କରିବାକୁ ଚାହୁଁଥିବା ହବିଷ୍ୟାଳିଙ୍କ ପାଇଁ ଆଜିଠୁ ଅନଲାଇନ୍ ଆବେଦନ ଆରମ୍ଭ ହେବ। ଓଡ଼ିଶା ସରକାରଙ୍କ ଇ-ଡିଷ୍ଟ୍ରିକ୍ଟ ପୋର୍ଟାଲ୍ ମାଧ୍ୟମରେ ମହିଳାମାନେ ଆବେଦନ କରିପାରିବେ। ଚଳିତ ବର୍ଷ ଅକ୍ଟୋବର ୨୬ରୁ ନଭେମ୍ବର ୨୪ ପର୍ଯ୍ୟନ୍ତ କାର୍ତ୍ତିକ ବ୍ରତ ପାଳନ ହେବ। ରାଜ୍ୟ ସରକାରଙ୍କ ହବିଷ୍ୟାଳି ଯୋଜନା ଅଧୀନରେ ପୁରୀରେ ମହିଳାମାନଙ୍କୁ ମାଗଣା ରହଣି ସହ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯିବ।
ଚଳିତ ବର୍ଷ ମୋଟ ୨୫୦୦ ଜଣ ହବିଷ୍ୟାଳିଙ୍କୁ ଏହି ଯୋଜନାରେ ସାମିଲ କରାଯିବ। ପଞ୍ଜିକୃତ ହବିଷ୍ୟାଳିଙ୍କ ରହଣି ପାଇଁ ପୁରୀର ବୃନ୍ଦାବତୀ ନିବାସ, ପୌରସଂସ୍ଥା କଲ୍ୟାଣ ମଣ୍ଡପ ଏବଂ ରେଳବାଇ ଟୁରିଷ୍ଟ କମ୍ପ୍ଲେକ୍ସରେ ନିଶୁଳ୍କ ବ୍ୟବସ୍ଥା କରାଯିବ। ଏହାସହ ହବିଷ୍ୟାଳିଙ୍କ ପାଇଁ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ଏବଂ ମାଗଣା ମହାପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ ରହିବ।
ଏହି ଯୋଜନାରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ମହିଳାମାନେ ଅନଲାଇନ୍ରେ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ଇ-ଡିଷ୍ଟ୍ରିକ୍ଟ ପୋର୍ଟାଲ୍ ମାଧ୍ୟମରେ କରାଯିବ। ପୁରୀରେ ମାସେ ବ୍ୟାପୀ କାର୍ତ୍ତିକ ବ୍ରତ ପାଳନ ସମୟରେ ହବିଷ୍ୟାଳିଙ୍କ ରହଣି, ଦର୍ଶନ ଓ ମହାପ୍ରସାଦ ସେବନ ପାଇଁ ଏହି ସୁବିଧା ଉପଲବ୍ଧ ହେବ।

