Allahabad High Court: ନିଜ ଇଚ୍ଛା ବିରୋଧରେ ବୟସ୍କ ଝିଅକୁ ବାପା-ମାଆଙ୍କ ସହ ରହିବାକୁ ବାଧ୍ୟ କରାଯାଇପାରିବ ନାହିଁ: ଆଲ୍ହାବାଦ ହାଇକୋର୍ଟ
ଆଲ୍ହାବାଦ: ବୟସ୍କ ଝିଅ ନିଜ ଇଚ୍ଛାରେ ରହୁଥିଲେ ତାଙ୍କୁ ବାପା-ମାଆଙ୍କ ସହ ରହିବାକୁ ବାଧ୍ୟ କରିବା ପାଇଁ ହେବିଆସ୍ କର୍ପସ୍ (Habeas Corpus) ଆବେଦନ କରାଯାଇପାରିବ ନାହିଁ ବୋଲି ଆଲ୍ଲାହାବାଦ ହାଇକୋର୍ଟ କହିଛନ୍ତି। ସେପ୍ଟେମ୍ବର ୨୮ର ଏକ ରାୟରେ ଜଷ୍ଟିସ୍ ସନ୍ଦୀପ ଜୈନ କହିଛନ୍ତି ଯେ, ଜଣେ ବ୍ୟକ୍ତି ବୟସ୍କ ହୋଇ ନିଜ ଇଚ୍ଛା ସ୍ପଷ୍ଟ କରିଥିଲେ କେବଳ ସେ ତାଙ୍କର ପିତାମାତା ବୋଲି କାହାକୁ ଦେଖାଇ ତାଙ୍କୁ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ସହ ରହିବାକୁ ବାଧ୍ୟ କରାଯାଇପାରିବ ନାହିଁ।
ମାମଲାରେ କଲାବତୀ ଦେବୀ ତାଙ୍କ ୨୫ ବର୍ଷୀୟା ଝିଅ କୁମାରୀ ପୂଜାଙ୍କୁ କୋର୍ଟରେ ହାଜର କରିବା ପାଇଁ ହେବିଆସ୍ କର୍ପସ୍ ଆବେଦନ କରିଥିଲେ। ଅଗଷ୍ଟ ୧୭, ୨୦୨୬ରେ କୋର୍ଟ ରାଜ୍ୟକୁ ପୂଜାଙ୍କୁ ହାଜର କରିବାକୁ ନିର୍ଦ୍ଦେଶ ଦେବା ପରେ ସେ କୋର୍ଟରେ ଉପସ୍ଥିତ ହୋଇଥିଲେ। ପୂଜା କହିଥିଲେ ଯେ, ସେ ନିଜ ଇଚ୍ଛାରେ ଦିଲ୍ଲୀରେ ସ୍ୱାଧୀନ ଭାବେ ରହୁଛନ୍ତି ଏବଂ ତାଙ୍କୁ କେହି ଅବୈଧ ଭାବେ ଅଟକ ରଖିନାହାନ୍ତି। ସେ ମାଆଙ୍କ ସହ ରହିବାକୁ ଚାହୁଁନଥିବା କହିବା ସହ ପୈତୃକ ଘରେ ତାଙ୍କ ସହ ମାରପିଟ୍ ଓ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ କରିଥିଲେ। ତେବେ ମାଆ ଏହି ଅଭିଯୋଗକୁ ଖଣ୍ଡନ କରି ଝିଅ ତାଙ୍କ ସହ ରହୁ ବୋଲି ଇଚ୍ଛା ପ୍ରକାଶ କରିଥିଲେ।
ପୂଜାଙ୍କ ସହ ସିଧାସଳଖ ଆଲୋଚନା କରିବା ପରେ କୋର୍ଟ ତାଙ୍କୁ ଜଣେ ବୟସ୍କ ଓ ନିଜ ନିଷ୍ପତ୍ତି ନେବାରେ ସକ୍ଷମ ବ୍ୟକ୍ତି ବୋଲି ବିଚାର କରିଥିଲେ। ସେ ନିଜ ଇଚ୍ଛାରେ ମାଆଙ୍କ ସହ ନରହିବାକୁ ସ୍ପଷ୍ଟ କରିଥିବାରୁ କୋର୍ଟ ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଦେଇଛନ୍ତି। ଏହାପରେ କଲାବତୀ ଦେବୀଙ୍କ ହେବିଆସ୍ କର୍ପସ୍ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି।

