Nayapalli Rape Case: ନୟାପଲ୍ଲୀରେ ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କ ଘରେ ପୁଲିସର ଚଢ଼ାଉ, ଖେଳନା ବନ୍ଧୁକ ସହ ୬ଟି ମୋବାଇଲ ଜବତ
ଭୁବନେଶ୍ୱର: ଭୁବନେଶ୍ୱର ନୟାପଲ୍ଲୀରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ମାମଲାରେ ତଦନ୍ତକୁ ଜୋରଦାର କରିଛି କମିସନରେଟ୍ ପୁଲିସ। ଅଧିକ ପ୍ରମାଣ ସଂଗ୍ରହ ପାଇଁ ନୟାପଲ୍ଲୀ ପୁଲିସ ଅଭିଯୁକ୍ତଙ୍କ ଜଗତସିଂହପୁରସ୍ଥିତ ଘରେ ଚଢ଼ାଉ କରିଛି। ଚଢ଼ାଉ ବେଳେ ଘରୁ ଗୋଟିଏ ଖେଳନା ବନ୍ଧୁକ ସହ ୬ଟି ଚୋରା ମୋବାଇଲ ଫୋନ୍ ଜବତ ହୋଇଥିବା ଜଣାପଡ଼ିଛି। ଏହାସହ ଘଟଣା ଦିନ ଅଭିଯୁକ୍ତ ପିନ୍ଧିଥିବା ଗଞ୍ଜି ଓ ପ୍ୟାଣ୍ଟ ସମେତ ଅନ୍ୟ କିଛି ସାମଗ୍ରୀ ମଧ୍ୟ ପୁଲିସ ଜବତ କରିଛି।
ପୁଲିସ ସୂଚନା ଅନୁସାରେ, ଅଭିଯୁକ୍ତ ଏହି ସାମଗ୍ରୀଗୁଡ଼ିକୁ ନିଜ ମାଆଙ୍କ ନିକଟରେ ଲୁଚାଇ ରଖିଥିଲେ। ଜବତ ହୋଇଥିବା ୬ଟି ମୋବାଇଲ ଫୋନ୍ର ଉତ୍ସ ଓ ମାଲିକଙ୍କ ସମ୍ପର୍କରେ ପୁଲିସ ଯାଞ୍ଚ କରିବ। ଦୁଷ୍କର୍ମ ମାମଲାରେ ଘଟଣାସ୍ଥଳ, ଅଭିଯୁକ୍ତଙ୍କ ଗତିବିଧି ଓ ଘଟଣା ସହ ଜଡ଼ିତ ଅନ୍ୟ ତଥ୍ୟକୁ ମଧ୍ୟ ଯାଞ୍ଚ କରାଯାଉଛି। ଜବତ ପୋଷାକ ଓ ଅନ୍ୟ ସାମଗ୍ରୀର ଫରେନସିକ୍ ଯାଞ୍ଚ ମଧ୍ୟ କରାଯାଇପାରେ।
ଅନ୍ୟପଟେ, ଏକାସାଙ୍ଗରେ ୬ଟି ମୋବାଇଲ ଓ ଖେଳନା ବନ୍ଧୁକ ଜବତ ହେବା ପରେ ଅଭିଯୁକ୍ତଙ୍କ ପୂର୍ବ ଗତିବିଧି ନେଇ ମଧ୍ୟ ପୁଲିସ ତଦନ୍ତ କରୁଛି। ଜବତ ହୋଇଥିବା ସାମଗ୍ରୀ ଏହି ମାମଲାର ତଦନ୍ତରେ କେତେ ଗୁରୁତ୍ୱପୂର୍ଣ୍ଣ, ତାହା ପୁଲିସ ଓ ଫରେନସିକ୍ ଯାଞ୍ଚ ପରେ ସ୍ପଷ୍ଟ ହେବ। ଚଢ଼ାଉ ପରେ ମିଳିଥିବା ସାମଗ୍ରୀ ଆଧାରରେ ପୁଲିସ ମାମଲାର ତଦନ୍ତକୁ ଆଗକୁ ବଢ଼ାଉଛି।

