Gyanesh Kumar Resignation: ୧୦ ଅକ୍ଟୋବର ପୂର୍ବରୁ ଇସ୍ତଫା ଦେଇପାରନ୍ତି ଜ୍ଞାନେଶ କୁମାର! ସୌରଭ ଭରଦ୍ୱାଜଙ୍କ ବଡ଼ ଦାବି
ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ନେଇ ବଡ଼ ଦାବି କରିଛନ୍ତି ଆମ୍ ଆଦମୀ ପାର୍ଟିର ଦିଲ୍ଲୀ ପ୍ରଦେଶ ଅଧ୍ୟକ୍ଷ ସୌରଭ ଭରଦ୍ୱାଜ। ତାଙ୍କ ସୂତ୍ର ଅନୁସାରେ, ଜ୍ଞାନେଶ କୁମାର ଅକ୍ଟୋବର ୧୦ ପୂର୍ବରୁ ନିଜ ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ସେ କହିଛନ୍ତି। ତାଙ୍କ ଏହି ଦାବି ପରେ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ନେଇ ଚାଲିଥିବା ରାଜନୈତିକ ଚର୍ଚ୍ଚା ଆହୁରି ବଢ଼ିଛି। ତେବେ ଏନେଇ ଜ୍ଞାନେଶ କୁମାରଙ୍କ ପକ୍ଷରୁ ଇସ୍ତଫା ସମ୍ପର୍କିତ କୌଣସି ଘୋଷଣା ହୋଇନାହିଁ।
ଅକ୍ଟୋବର ୧୦ରେ ଦିଲ୍ଲୀର ଜନ୍ତରମନ୍ତରରେ ଜ୍ଞାନେଶ କୁମାରଙ୍କ ବିରୋଧରେ ପ୍ରଦର୍ଶନ କରିବାକୁ କକରୋଚ୍ ଜନତା ପାର୍ଟି (CJP) ଘୋଷଣା କରିଛି। ଦଳ ପକ୍ଷରୁ ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ଭୋଟର ତାଲିକାର ସ୍ପେଶାଲ୍ ଇଣ୍ଟେନସିଭ୍ ରିଭିଜନ୍ (SIR) ଉପରେ ରୋକ୍ ଦାବି କରାଯାଉଛି। ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଦଳଗୁଡ଼ିକ ମଧ୍ୟ ନିର୍ବାଚନ କମିଶନଙ୍କ ଉପରେ ପ୍ରଶ୍ନ ଉଠାଉଛନ୍ତି।
ବିହାର, ପଶ୍ଚିମବଙ୍ଗ ସମେତ ବିଭିନ୍ନ ରାଜ୍ୟରେ SIR ପ୍ରକ୍ରିୟାକୁ ନେଇ ବିରୋଧୀଙ୍କ ଆପତ୍ତି ଜାରି ରହିଛି। ଭୋଟର ତାଲିକା ସଂଶୋଧନ ବେଳେ ଭୁଲ୍ ଭାବେ ନାଁ କାଟିବା କିମ୍ବା ଯୋଡ଼ିବା ନେଇ ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରୁଥିବା ବେଳେ ନିର୍ବାଚନ କମିଶନ ନିଜ ପ୍ରକ୍ରିୟା ଓ ନିୟମ ଆଧାରରେ ଏହାର ଜବାବ ଦେଇଆସୁଛନ୍ତି। ଏହି ପରିସ୍ଥିତିରେ ସୌରଭ ଭରଦ୍ୱାଜଙ୍କ ଇସ୍ତଫା ସମ୍ପର୍କିତ ଦାବି ଚର୍ଚ୍ଚାକୁ ଆହୁରି ବଢ଼ାଇଛି।

