Kalaburagi Aircraft Emergency Landing: ବିମାନବନ୍ଦର ନିକଟରେ ଟ୍ରେନିଂ ବିମାନରେ ତ୍ରୁଟି, ଚାଷ ହୋଇଥିବା ଜମିରେ ଜରୁରୀ ଅବତରଣ
କର୍ଣ୍ଣାଟକ: କର୍ଣ୍ଣାଟକର କଲବୁର୍ଗିରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଟ୍ରେନିଂ ବିମାନ ଜରୁରୀ ଅବତରଣ କରିଛି। ଏକ ଘରୋଇ ଫ୍ଲାଇଂ ଏକାଡେମୀର ଏହି ଦୁଇ ସିଟ୍ ବିଶିଷ୍ଟ ବିମାନଟି ବିମାନବନ୍ଦର ନିକଟରେ ଉଡ଼ାଣ ଭରୁଥିବା ସମୟରେ ହଠାତ୍ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିବା ଜଣାପଡ଼ିଛି।
ବିମାନରେ ଜଣେ ପ୍ରଶିକ୍ଷକ ଏବଂ ଜଣେ ଟ୍ରେନି ଚାଳକ ଥିଲେ। ତ୍ରୁଟି ଦେଖାଦେବା ପରେ ପାଇଲଟ୍ ନିକଟସ୍ଥ ଏକ ହରଡ ଡାଲି ଚାଷ ହୋଇଥିବା ଜମିରେ ବିମାନଟିକୁ ଜରୁରୀ ଭାବେ ଅବତରଣ କରାଇଥିଲେ। ଅବତରଣ ପରେ ଉଭୟ ପ୍ରଶିକ୍ଷକ ଓ ଟ୍ରେନି ପାଇଲଟ୍ ସୁରକ୍ଷିତ ଥିବା ବେଳେ, କାହାରି କୌଣସି ଆହତ ହୋଇନଥିବା ଜଣାପଡ଼ିଛି।
ଘଟଣା ପରେ ସମ୍ପୃକ୍ତ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ବିମାନର ସ୍ଥିତି ଯାଞ୍ଚ କରିଥିଲେ। ଉଡ଼ାଣ ସମୟରେ କେଉଁ ପ୍ରକାର ଯାନ୍ତ୍ରିକ ସମସ୍ୟା ଦେଖାଦେଇଥିଲା, ସେନେଇ ଯାଞ୍ଚ କରାଯାଉଛି। ତେବେ ଜରୁରୀ ଅବତରଣ ଯୋଗୁଁ କୌଣସି ବଡ଼ ଅଘଟଣ ଘଟିନଥିବା ଜଣାପଡ଼ିଛି।

