Odisha IAS Transfer: ମହେଶ୍ୱର ସ୍ୱାଇଁଙ୍କ ସମେତ ଅନେକ IAS ଅଧିକାରୀଙ୍କ ବଦଳି, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ?
ଭୁବନେଶ୍ୱର: ଓଡ଼ିଶାରେ IAS ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବୁଧବାର ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ କିଛି ବରିଷ୍ଠ ଅଧିକାରୀଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇଛି। ଏହି ଅଦଳବଦଳ ପରେ ପ୍ରଶାସନିକ ସ୍ତରରେ ଅନେକ ଅଧିକାରୀଙ୍କୁ ନୂଆ ଦାୟିତ୍ୱ ମିଳିଛି।
ବିଜ୍ଞପ୍ତି ଅନୁଯାୟୀ, ନବରଙ୍ଗପୁର ଜିଲ୍ଲାପାଳ ମହେଶ୍ୱର ସ୍ୱାଇଁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ତାଙ୍କ ସ୍ଥାନରେ ଅନ୍ୟା ଦାସଙ୍କୁ ନବରଙ୍ଗପୁର ଜିଲ୍ଲାପାଳ କରାଯାଇଛି। ସେହିପରି ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କୁ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱ ମିଳିଛି। ତାଙ୍କ ସ୍ଥାନରେ ମଧୁମିତାଙ୍କୁ ନୂଆପଡ଼ା ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି।
ଏହାସହ ପ୍ରଦୀପ ନାୟକଙ୍କୁ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱ ଦିଆଯାଇଛି। ଅଶ୍ନି ଏ.ଏଲ୍.ଙ୍କୁ ଭବାନୀପାଟଣାର ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଥିବା ବେଳେ କସ୍ତୁରୀ ଶାଙ୍କୁ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗର ଉପସଚିବ ଭାବେ ବଦଳି କରାଯାଇଛି। ନୂଆ ଦାୟିତ୍ୱ ସହ ଏହି ଅଧିକାରୀମାନେ ରାଜ୍ୟ ପ୍ରଶାସନରେ ନିଜ ନିଜ କାର୍ଯ୍ୟଭାର ସମ୍ଭାଳିବେ।

