Kavita Mahto: ଶାଢ଼ୀ ପିନ୍ଧି ଖାଲି ପାଦରେ ୧୬୦୦ ମିଟର ଦୌଡ଼ିଲେ କବିତା, ହୋମଗାର୍ଡ ଟ୍ରାଏଲ୍ର ଭିଡିଓ ଭାଇରାଲ୍
ଝାଡ଼ଖଣ୍ଡ: ଝାଡ଼ଖଣ୍ଡର କବିତା ମହତୋଙ୍କ ସଂଘର୍ଷ ଓ ସାହସର କାହାଣୀ ଏବେ ଚର୍ଚ୍ଚାରେ। ସୂଚନା ଅନୁସାରେ, ପ୍ରାୟ ୩ ବର୍ଷ ପୂର୍ବେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ କବିତା ଇଟାଭାଟିରେ କାମ କରି ନିଜ ଦୁଇ ପିଲା ଓ ଶାଶୁ-ଶ୍ୱଶୁରଙ୍କ ଦାୟିତ୍ୱ ନିଜେ ସମ୍ଭାଳୁଛନ୍ତି। ଏହି କଠିନ ପରିସ୍ଥିତି ମଧ୍ୟରେ ସେ ହୋମଗାର୍ଡ ନିଯୁକ୍ତି ପାଇଁ ଟ୍ରାଏଲ୍ ରେସ୍ରେ ଭାଗ ନେଇଥିଲେ।
କବିତା ଖାଲି ପାଦରେ ୧୬୦୦ ମିଟର ଦୌଡ଼ିଥିବା ବେଳେ ତାଙ୍କ ପୋଷାକ ମଧ୍ୟ ଜୀର୍ଣ୍ଣ ଥିବା କୁହାଯାଉଛି। ସେ ପ୍ରାୟ ୬ ମିନିଟ୍ରେ ରେସ୍ ପୂରା କରିଥିବା ଏବଂ ଏଥିରେ ବିଜୟୀ ହୋଇଥିବା ସୂଚନା ମିଳିଛି। ତେବେ ଏହି ରେସ୍ରେ ସଫଳ ହେବା ପରେ ମଧ୍ୟ କବିତାଙ୍କ ଚୂଡ଼ାନ୍ତ ଚୟନ ପ୍ରକ୍ରିୟା ଏପର୍ଯ୍ୟନ୍ତ ବାକି ରହିଛି।
କବିତାଙ୍କ ଏହି ଦୌଡ଼ କେବଳ ଏକ ନିଯୁକ୍ତି ପରୀକ୍ଷାରେ ଭାଗ ନେବା ଘଟଣା ନୁହେଁ, ବରଂ କଠିନ ପରିସ୍ଥିତି ମଧ୍ୟରେ ପରିବାର ପାଇଁ ଆଗକୁ ବଢ଼ିବାର ତାଙ୍କ ଚେଷ୍ଟାକୁ ଦର୍ଶାଉଛି। ଆର୍ଥିକ ଓ ସାମାଜିକ ସୁବିଧାର ଅଭାବରେ ଅନେକ ପ୍ରତିଭା ଆଗକୁ ଆସିପାରୁନଥିବା ବେଳେ କବିତାଙ୍କ କାହାଣୀ ଏବେ ଲୋକଙ୍କ ଧ୍ୟାନ ଆକର୍ଷଣ କରିଛି।

