Trump Golden Statue: ୟୁରୋପୀୟ ସଂସଦରେ ସୁନାରେ ନିର୍ମିତ ଟ୍ରମ୍ପଙ୍କ ବ୍ୟଙ୍ଗାତ୍ମକ ମୂର୍ତ୍ତି
ନୂଆଦିଲ୍ଲୀ: ଫ୍ରାନ୍ସର ଷ୍ଟ୍ରାସବର୍ଗସ୍ଥିତ ୟୁରୋପୀୟ ସଂସଦ ଭବନରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ବ୍ୟଙ୍ଗାତ୍ମକ ମୂର୍ତ୍ତି ପ୍ରଦର୍ଶିତ ହୋଇଛି। ପ୍ରାୟ ୮.୫ ଫୁଟ୍ ଉଚ୍ଚ ଏହି ମୂର୍ତ୍ତିକୁ ଡେନମାର୍କର କଳାକାର ଜେନ୍ସ ଗାଲ୍ସଚିଓଟ୍ ତିଆରି କରିଛନ୍ତି। ‘The Orange Plague’ ନାମକ ଏହି କଳାକୃତିରେ ଟ୍ରମ୍ପଙ୍କୁ ଜଣେ ଛୋଟ ଆକାରର ବ୍ୟକ୍ତିଙ୍କ କାନ୍ଧ ଉପରେ ବସିଥିବା ଭାବେ ଦର୍ଶାଯାଇଛି। ମୂର୍ତ୍ତିଟି ୨୩ କ୍ୟାରେଟ୍ ସୁନା ପତ୍ରରେ ଆବୃତ ହୋଇଛି।
ମୂର୍ତ୍ତିରେ ଟ୍ରମ୍ପଙ୍କ ହାତରେ ଗଲ୍ଫ କ୍ଲବ୍ ଓ ନ୍ୟାୟର ପ୍ରତୀକ ତରାଜୁ ଦେଖାଯାଇଛି। ତଳେ ଥିବା ଛୋଟ ବ୍ୟକ୍ତିଙ୍କ ପାଖରେ ବିଶ୍ୱ ଆକୃତିର ଏକ ଗଲ୍ଫ ବଲ୍ ମଧ୍ୟ ରହିଛି। କଳାକାରଙ୍କ କହିବା ଅନୁସାରେ, ଏହି କଳାକୃତି ଶକ୍ତି, ରାଜନୈତିକ ପ୍ରଭାବ ଏବଂ ଟ୍ରମ୍ପଙ୍କ ନୀତିକୁ ନେଇ ତାଙ୍କର ବ୍ୟଙ୍ଗାତ୍ମକ ମତ ପ୍ରକାଶ କରେ। ଏହାକୁ ‘King of Injustice’ ବୋଲି ମଧ୍ୟ ଦର୍ଶାଯାଇଛି।
ଏହି କଳାକୃତିକୁ ୟୁରୋପୀୟ ସଂସଦରେ ଏକ ଅସ୍ଥାୟୀ ପ୍ରଦର୍ଶନୀର ଅଂଶ ଭାବେ ରଖାଯାଇଛି। କଳାକାର ଗାଲ୍ସଚିଓଟ୍ କହିଛନ୍ତି ଯେ, ଟ୍ରମ୍ପଙ୍କ ସୁନା ପ୍ରତି ଆଗ୍ରହକୁ ଧ୍ୟାନରେ ରଖି ସେ ଏହି ମୂର୍ତ୍ତିରେ ସୁନାର ବ୍ୟବହାର କରିଛନ୍ତି। ତାଙ୍କ ଅନୁସାରେ, ଏହା ଟ୍ରମ୍ପଙ୍କ ଶକ୍ତି ଓ ବିଶ୍ୱ ରାଜନୀତି ଉପରେ ଏକ ବ୍ୟଙ୍ଗାତ୍ମକ କଳା ପ୍ରତିକ୍ରିୟା।

