CJP Delhi Protest: ଅକ୍ଟୋବର ୧୦ର ପ୍ରତିବାଦ ପାଇଁ ଦିଲ୍ଲୀରେ ବଡ଼ ପ୍ରସ୍ତୁତି, ମୁତୟନ ହେବେ ୨୩ ହଜାର ସୁରକ୍ଷାକର୍ମୀ
ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ଅକ୍ଟୋବର ୧୦ରେ ଦିଲ୍ଲୀରେ ପ୍ରତିବାଦ ପାଇଁ CJP ପକ୍ଷରୁ ଡାକରା ଦିଆଯାଇଛି। ଏହାକୁ ନଜରରେ ରଖି ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଉଛି। ରିପୋର୍ଟ ଅନୁସାରେ, ଅକ୍ଟୋବର ୮ରୁ ୧୨ ମଧ୍ୟରେ ଦିଲ୍ଲୀରେ ୨୨୧ କମ୍ପାନୀ CAPF ମୁତୟନ ପାଇଁ ଅନୁମୋଦନ ମିଳିଛି। ଏହା ସହିତ ଦିଲ୍ଲୀ ପୋଲିସର ପ୍ରାୟ ୨୦ ହଜାର କର୍ମଚାରୀ ମଧ୍ୟ ଡ୍ୟୁଟିରେ ରହିବେ।
ସୂଚନା ଅନୁସାରେ, ମୁତୟନ ହେବାକୁ ଥିବା CAPF ମଧ୍ୟରେ CRPF, SSB, ITBP, RAF ଓ CISFର ଯବାନ ସାମିଲ ଅଛନ୍ତି। ଦିଲ୍ଲୀର ବିଭିନ୍ନ ସୀମା ଅଞ୍ଚଳରେ କଡ଼ା ନଜର ରଖାଯିବା ସହ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବହୁସ୍ତରୀୟ ବ୍ୟାରିକେଡିଂ କରାଯିବା ଯୋଜନା ରହିଛି। ସହରର CCTV ନିରୀକ୍ଷଣ ସହ ଫେସ୍ ରେକଗ୍ନିସନ୍ କ୍ୟାମେରା ବ୍ୟବହାର କରାଯିବା ନେଇ ମଧ୍ୟ ସୂଚନା ମିଳିଛି।
CJP ପୂର୍ବରୁ ମଧ୍ୟ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରି ଦେଶବ୍ୟାପୀ ଆନ୍ଦୋଳନର ଘୋଷଣା କରିଥିଲା ଏବଂ ଅକ୍ଟୋବର ୧୦ରେ ଦିଲ୍ଲୀର ଜନ୍ତର ମନ୍ତରରେ ପୁଣି ପ୍ରତିବାଦ କରିବାକୁ କହିଛି। ପ୍ରତିବାଦକୁ ନଜରରେ ରଖି ଦିଲ୍ଲୀ ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷା ବଳ ପକ୍ଷରୁ ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରସ୍ତୁତି ଚାଲିଛି।

