Navaratri Garba Festival: ଗୁଜରାଟର ଏକ ଗରବା ଉତ୍ସବରେ ରୋବୋଟ୍ର ଜଲୱା, ପାରମ୍ପରିକ ନୃତ୍ୟ ସହ ଟେକ୍ନୋଲୋଜିର ମିଶ୍ରଣ
ଗୁଜରାଟ: ଗୁଜରାଟର ନବସାରୀରେ ଆୟୋଜିତ ଗରବା ଉତ୍ସବରେ ଏଥର ଏକ ହ୍ୟୁମାନଏଡ୍ ରୋବୋଟ୍ ଲୋକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି। ପାରମ୍ପରିକ ଗରବା ନୃତ୍ୟ ଓ ଉତ୍ସବର ରଙ୍ଗୀନ ପରିବେଶ ମଧ୍ୟରେ ଆଧୁନିକ ରୋବୋଟିକ୍ସର ଉପସ୍ଥିତି ଲୋକଙ୍କ ମନ ଜିଣିଛି। ରୋବୋଟ୍ଟିକୁ ଦେଖିବା ପାଇଁ ଉତ୍ସବରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଉତ୍ସୁକତା ଦେଖିବାକୁ ମିଳିଛି।
ସୂଚନା ଅନୁସାରେ, ଫ୍ଲାଗ୍ସିପ୍ କମ୍ପାନୀ ଦ୍ୱାରା ବିକଶିତ ଏହି ହ୍ୟୁମାନଏଡ୍ ରୋବୋଟ୍କୁ ନୂଆ ପିଢ଼ିକୁ ଆଧୁନିକ ପ୍ରଯୁକ୍ତିବିଦ୍ୟା ସହ ପରିଚିତ କରାଇବା ଉଦ୍ଦେଶ୍ୟରେ ଗରବା ଆୟୋଜନକୁ ଅଣାଯାଇଥିଲା। ପାରମ୍ପରିକ ଉତ୍ସବ ମାଧ୍ୟମରେ ଯୁବପିଢ଼ିଙ୍କ ମଧ୍ୟରେ ଟେକ୍ନୋଲୋଜି ପ୍ରତି ଆଗ୍ରହ ବଢ଼ାଇବା ଏହି ପଦକ୍ଷେପର ଲକ୍ଷ୍ୟ ବୋଲି କୁହାଯାଉଛି।
ଗୋଟିଏ ପଟେ ଗରବାର ପାରମ୍ପରିକ ଆକର୍ଷଣ ଏବଂ ଅନ୍ୟପଟେ ରୋବୋଟିକ୍ସର ଆଧୁନିକ ରୂପ—ଏହି ଦୁଇଟିର ମିଶ୍ରଣ ଉତ୍ସବକୁ ନୂଆ ରୂପ ଦେଇଛି। ପରମ୍ପରା ସହ ନୂଆ ପ୍ରଯୁକ୍ତିର ଏହି ସଂଯୋଗ ନବସାରୀର ଗରବା ଉତ୍ସବକୁ ଚର୍ଚ୍ଚାରେ ରଖିଛି।

