Paradip SAREX 2026: ସମୁଦ୍ରରେ ବିମାନ ଦୁର୍ଘଟଣା,ଜାହାଜରେ ନିଆଁକୁ ନେଇ ମକ୍ ଡ୍ରିଲ୍, ତଟରକ୍ଷୀ ବାହିନୀର ମେଗା ରେସ୍କ୍ୟୁ ଅପରେସନ୍
ପାରାଦୀପ: ପାରାଦୀପ ସମୁଦ୍ରରେ ଯାତ୍ରୀବାହୀ ବିମାନ ଦୁର୍ଘଟଣା ଓ ଜାହାଜରେ ନିଆଁ ଲାଗିବା ଭଳି ଏକ କାଳ୍ପନିକ ପରିସ୍ଥିତିକୁ ନେଇ ବଡ଼ ଧରଣର ଉଦ୍ଧାର ଅଭ୍ୟାସ କରାଯାଇଛି। ଏହା କୌଣସି ପ୍ରକୃତ ଦୁର୍ଘଟଣା ନୁହେଁ। ପାରାଦୀପ ଉପକୂଳରେ ଆୟୋଜିତ ୧୨ତମ ଜାତୀୟ ସାମୁଦ୍ରିକ ସନ୍ଧାନ ଓ ଉଦ୍ଧାର ଅଭ୍ୟାସ ‘ସାରେକ୍ସ ୨୦୨୬’ (SAREX 2026)ରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ସମୁଦ୍ରରେ ବଡ଼ ଦୁର୍ଘଟଣା ଘଟିଲେ କିପରି ତ୍ୱରିତ ଓ ସମନ୍ୱିତ ଭାବେ ଉଦ୍ଧାର କାର୍ଯ୍ୟ କରାଯାଇପାରିବ, ତାହାର ପ୍ରସ୍ତୁତି ଓ କ୍ଷମତା ପରଖିବା ଏହି ଅଭ୍ୟାସର ମୁଖ୍ୟ ଉଦ୍ଦେଶ୍ୟ।
ଅଭ୍ୟାସରେ ପ୍ରସ୍ତୁତ କାଳ୍ପନିକ ଘଟଣା ଅନୁସାରେ, ୨୨୮ ଜଣ ଯାତ୍ରୀ ଥିବା ଏକ ବିମାନ ପାରାଦୀପ ବନ୍ଦର ନିକଟରେ ସମୁଦ୍ରରେ ଖସିପଡ଼ିଥିଲା। ଏହାର ଭଗ୍ନାବଶେଷ କଣ୍ଟେନର ଜାହାଜ ଏମ୍ଭି ଜୁମ୍ବାକୁ ଧକ୍କା ଦେବାରୁ ଜାହାଜର ଢାଞ୍ଚା କ୍ଷତିଗ୍ରସ୍ତ ହେବା ସହ ନିଆଁ ଲାଗିଥିବାର ପରିସ୍ଥିତି ସୃଷ୍ଟି କରାଯାଇଥିଲା। ଏହାକୁ ଆଧାର କରି ବିମାନର ଯାତ୍ରୀଙ୍କୁ ଉଦ୍ଧାର, ଜାହାଜରେ ଅଗ୍ନିକାଣ୍ଡର ମୁକାବିଲା ଏବଂ ବିଭିନ୍ନ ସଂସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା କରିବାର ଅଭ୍ୟାସ କରାଯାଇଥିଲା। ଭାରତୀୟ ତଟରକ୍ଷୀ ବାହିନୀ ସହ ନୌସେନା, ବାୟୁସେନା, ମରାଇନ୍ ପୋଲିସ, ପାରାଦୀପ ବନ୍ଦର ପ୍ରାଧିକରଣ, ଡିଜି ସିପିଂ, ସିପିଂ କର୍ପୋରେସନ ଅଫ୍ ଇଣ୍ଡିଆ ଏବଂ ଓଡ଼ିଶା ପ୍ରଶାସନର ଅଧିକାରୀମାନେ ଏଥିରେ ସାମିଲ ହୋଇଥିଲେ।
ଏହି ମେଗା ଅଭ୍ୟାସରେ ୧୫ଟି ତଟରକ୍ଷୀ ଜାହାଜ, ୩ଟି ଡର୍ନିଅର ବିମାନ, ୩ଟି ଆଡଭାନ୍ସଡ୍ ଲାଇଟ୍ ହେଲିକପ୍ଟର ଓ ଗୋଟିଏ ଚେତକ୍ ହେଲିକପ୍ଟର ସାମିଲ ହୋଇଥିଲା। ଏହାସହ ବାୟୁସେନାର ସି-୧୩୦ଜେ ଓ ଏମ୍ଆଇ-୧୭ ବିମାନ ଏବଂ ନୌସେନାର ଦୁଇଟି ଜାହାଜ ମଧ୍ୟ ମୁତୟନ ହୋଇଥିଲା। ୩୦ଟି ଦେଶରୁ ଆସିଥିବା ୩୨ ଜଣ ପର୍ଯ୍ୟବେକ୍ଷକ ଏହି ଅଭ୍ୟାସକୁ ଦେଖିଥିଲେ। ସାମୁଦ୍ରିକ ଦୁର୍ଘଟଣା ସମୟରେ ବିଭିନ୍ନ ଉଦ୍ଧାରକାରୀ ସଂସ୍ଥାର ପ୍ରସ୍ତୁତି, ଯୋଗାଯୋଗ ଓ ମିଳିତ କାର୍ଯ୍ୟକ୍ଷମତାକୁ ପରଖିବାରେ ଏହି ଅଭ୍ୟାସ ଗୁରୁତ୍ୱ ବହନ କରୁଛି।

