Delhi Train Cancellation: ଅକ୍ଟୋବର ୧୦ରେ ବିରୋଧୀଙ୍କ ପ୍ରଦର୍ଶନ, ନୂଆଦିଲ୍ଲୀ ଓ ହଜରତ ନିଜାମୁଦ୍ଦିନ ଆସୁଥିବା କିଛି ଟ୍ରେନ୍ ବାତିଲ୍
ନୂଆଦିଲ୍ଲୀ: ଅକ୍ଟୋବର ୧୦ରେ ଦିଲ୍ଲୀରେ ପ୍ରସ୍ତାବିତ ବିରୋଧୀ ଦଳଗୁଡ଼ିକର ପ୍ରଦର୍ଶନକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧା ପାଇଁ ଆଗୁଆ ପଦକ୍ଷେପ ନିଆଯାଇଛି। ଏହି ଦିନ ନୂଆଦିଲ୍ଲୀ ଓ ହଜରତ ନିଜାମୁଦ୍ଦିନ ରେଳ ଷ୍ଟେସନରେ ପହଞ୍ଚିବାକୁ ଥିବା କିଛି ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନ୍କୁ ବାତିଲ୍ କରାଯାଇଛି।
ରେଳବାଇର ସୂଚନା ଅନୁସାରେ, ଅକ୍ଟୋବର ୧୦ ତାରିଖ ସକାଳ ୪ଟାରୁ ଅପରାହ୍ନ ୨ଟା ମଧ୍ୟରେ ଉକ୍ତ ଷ୍ଟେସନଗୁଡ଼ିକରେ ପହଞ୍ଚିବାକୁ ଥିବା କିଛି ଟ୍ରେନ୍ର ଚଳାଚଳ ବନ୍ଦ ରହିବ। ଏହି ଟ୍ରେନ୍ଗୁଡ଼ିକ ଅକ୍ଟୋବର ୯ ତାରିଖ ଅପରାହ୍ନ ୨ଟା ପରେ ନିଜର ଆରମ୍ଭିକ ଷ୍ଟେସନରୁ ଯାତ୍ରା ଆରମ୍ଭ କରିବାର ଥିଲା। ତେବେ କେଉଁ କେଉଁ ଟ୍ରେନ୍ ବାତିଲ୍ ହୋଇଛି, ସେନେଇ ଯାତ୍ରୀମାନେ ରେଳବାଇର ଅଧିକୃତ ସୂଚନା ଯାଞ୍ଚ କରିବା ଜରୁରୀ।
ପ୍ରଦର୍ଶନ ଯୋଗୁଁ ଦିଲ୍ଲୀର ବିଭିନ୍ନ ରାସ୍ତାରେ ଟ୍ରାଫିକ୍ ଜାମ୍ ଓ ଯାତାୟାତ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ଏପରି ସ୍ଥିତିରେ ଯାତ୍ରୀମାନେ ଷ୍ଟେସନରେ ପହଞ୍ଚିବାରେ ଅସୁବିଧା ଭୋଗିପାରନ୍ତି ବୋଲି ରେଳବାଇ ଆକଳନ କରିଛି। ତେଣୁ ଯାତ୍ରା ପୂର୍ବରୁ ନିଜ ଟ୍ରେନ୍ର ସ୍ଥିତି ଯାଞ୍ଚ କରିବା ସହ ଆବଶ୍ୟକ ହେଲେ ବିକଳ୍ପ ଯାତାୟାତ ବ୍ୟବସ୍ଥା କରିବାକୁ ଯାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି।

