Maharashtra Couple Death: ତାପୀ ନଦୀରୁ ନବଦମ୍ପତିଙ୍କ ମୃତଦେହ ଉଦ୍ଧାର, ଲୁହା ଚେନ୍ରେ ବନ୍ଧା ହୋଇଥିଲା ଦୁଇଜଣଙ୍କ ଗୋଡ଼
ମହାରାଷ୍ଟ୍ର: ମହାରାଷ୍ଟ୍ରର ଧୁଲେ ଜିଲ୍ଲାରେ ତାପୀ ନଦୀରୁ ଜଣେ ନବଦମ୍ପତିଙ୍କ ମୃତଦେହ ମିଳିବା ପରେ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସାଭାଲଡେ ଅଞ୍ଚଳରେ ନଦୀର ତଳଭାଗରୁ ଉଦ୍ଧାର ହୋଇଥିବା ମୃତଦେହ ଦୁଇଟିକୁ ଶ୍ୟାମ ହରି ପାଟିଲ ଓ ସପ୍ନା ପାଟିଲଙ୍କ ବୋଲି ଚିହ୍ନଟ କରାଯାଇଛି। ସେମାନେ ଜଳଗାଓଁ ଜିଲ୍ଲାର ଅମଲନେର ତାଲୁକାର ବାସିନ୍ଦା ଥିଲେ। କିଛି ମାସ ପୂର୍ବରୁ ଉଭୟ ପ୍ରେମ ବିବାହ କରିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି।
ପୁଲିସର ସୂଚନା ଅନୁସାରେ, ଦମ୍ପତିଙ୍କ ଗୋଡ଼ ଏକ ଲୁହା ଚେନ୍ରେ ବନ୍ଧା ଥିଲା ଏବଂ ଚେନ୍ରେ ତାଲା ଲଗାଯାଇଥିଲା। ନଦୀର ତଳଭାଗରୁ ମୃତଦେହ ମିଳିବା ପରେ ଘଟଣାର ପରିସ୍ଥିତିକୁ ନେଇ ତଦନ୍ତ ଆରମ୍ଭ ହୋଇଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।
ଘଟଣାର ସମସ୍ତ ଦିଗକୁ ଯାଞ୍ଚ କରାଯାଉଥିବା ବେଳେ ଦମ୍ପତିଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ ଜାଣିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି। ମୃତ୍ୟୁ ପୂର୍ବରୁ ସେମାନଙ୍କ ସହ କ’ଣ ଘଟିଥିଲା ଏବଂ ଗୋଡ଼ରେ ଚେନ୍ ବନ୍ଧାଯିବାର ପରିସ୍ଥିତି କ’ଣ ଥିଲା, ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ଏପର୍ଯ୍ୟନ୍ତ ପୁଲିସ ପକ୍ଷରୁ ଘଟଣାକୁ ହତ୍ୟା କିମ୍ବା ଆତ୍ମହତ୍ୟା ବୋଲି ନିଶ୍ଚିତ କରାଯାଇନାହିଁ।

