Dhruv Rathee Detained: ଗୁରୁଗ୍ରାମ ଘରୁ ଧ୍ରୁବ ରାଠୀଙ୍କୁ ଅଟକ ରଖିଲା ଦିଲ୍ଲୀ ପୁଲିସ, ମୁକ୍ତି ଦାବି କଲା CJP
ନୂଆଦିଲ୍ଲୀ: ୟୁଟ୍ୟୁବର ଧ୍ରୁବ ରାଠୀଙ୍କୁ ଗୁରୁଗ୍ରାମସ୍ଥିତ ତାଙ୍କ ଘରୁ ଦିଲ୍ଲୀ ପୁଲିସ ଅଟକ ରଖିଥିବା ଜଣାପଡ଼ିଛି। ଶନିବାର ଜନ୍ତରମନ୍ତରରେ କକ୍ରୋଚ୍ ଜନତା ପାର୍ଟି (CJP) ପକ୍ଷରୁ ପ୍ରସ୍ତାବିତ ପ୍ରତିବାଦ ପୂର୍ବରୁ ଏହି ପଦକ୍ଷେପ ନିଆଯାଇଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି। ଗୁରୁଗ୍ରାମର ସେକ୍ଟର-୫୬ସ୍ଥିତ ତାଙ୍କ ଘରେ ଶନିବାର ସକାଳେ ଦିଲ୍ଲୀ ପୁଲିସର ପ୍ରାୟ ୫୦ ଜଣ କର୍ମଚାରୀ ପହଞ୍ଚି ତାଙ୍କୁ ଅଟକ ରଖିଥିବା କୁହାଯାଇଛି।
ଧ୍ରୁବ ରାଠୀ ଏହି ପ୍ରତିବାଦରେ ଯୋଗଦେବାକୁ ଆସିଥିବା ବେଳେ ତାଙ୍କୁ ଅଟକ ରଖାଯିବା ଘଟଣାକୁ ନେଇ CJP ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ଦଳ ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ ଦାବି କରିଛି। ଶୁକ୍ରବାର ସନ୍ଧ୍ୟାରେ ଧ୍ରୁବ ରାଠୀ ନିଜ X ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି ଶନିବାରର ପ୍ରତିବାଦରେ ଯୋଗଦେବା ବିଷୟରେ ଘୋଷଣା କରିଥିଲେ। ଏହି ପ୍ରତିବାଦକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ ବଢ଼ାଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରର ସମାଲୋଚକ ଭାବେ ପରିଚିତ ଧ୍ରୁବ ରାଠୀ ଚଳିତ ସପ୍ତାହର ଆରମ୍ଭରେ ଜର୍ମାନୀରୁ ଭାରତ ଆସିଥିଲେ। ଅକ୍ଟୋବର ୮ରେ ବେଙ୍ଗାଲୁରୁରେ CJP ପକ୍ଷରୁ ଆୟୋଜିତ ପ୍ରତିବାଦରେ ମଧ୍ୟ ସେ ଯୋଗ ଦେଇଥିବା ରିପୋର୍ଟରେ କୁହାଯାଇଛି।

