Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବର୍ଣ୍ଣପୁର ରେ ପ୍ରଥମ ଥର ପାଇଁ ରାଜ୍ୟ ସ୍ତରୀୟ 14 ବର୍ଷ ରୁ କମ୍ ବାଳକ ଫୁଟବଲ ଚାମ୍ପିଆନ୍ ସିପ୍

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରଥମ ଥର ପାଇଁ ୨୦୨୬-୨୦୨୭ କ୍ରୀଡ଼ା ଋତୁର ରାଜ୍ୟସ୍ତରୀୟ ୧୪ ବର୍ଷରୁ କମ୍ ବାଳକ ଫୁଟବଲ୍ ଚାମ୍ପିୟନସିପ୍ ଆସନ୍ତା ଅକ୍ଟୋବର ୧୩ରୁ ୧୬ ତାରିଖ ପର୍ଯ୍ୟନ୍ତ ସୋନପୁରସ୍ଥିତ ଗାନ୍ଧୀ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ।
ଆସନ୍ତାକାଲି, ଅକ୍ଟୋବର ୧୩ ତାରିଖ ଅପରାହ୍ନ ୩ଟାରେ ଏହି ଚାମ୍ପିୟନସିପ୍‌ର ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହେବ। ଏହି ଉତ୍ସବରେ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଭାରତୀୟ ପେସାଦାର ଧାବିକା ତଥା ଅଲିମ୍ପିଆନ୍ ଦୂତୀ ଚାନ୍ଦ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେବେ।
ଏହି ଚାମ୍ପିୟନସିପ୍‌ରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମୋଟ ୩୦ଟି ଦଳ ଅଂଶଗ୍ରହଣ କରିବେ। ପ୍ରତ୍ୟେକ ଦଳରେ ୧୬ ଜଣ ଖେଳାଳି, ଜଣେ ପ୍ରଶିକ୍ଷକ ଓ ଜଣେ ମ୍ୟାନେଜରଙ୍କୁ ମିଶାଇ ମୋଟ ୧୮ ଜଣ ସଦସ୍ୟ ରହିବେ। ଏଥିସହିତ ୬୦ ଜଣ ରାଜ୍ୟସ୍ତରୀୟ ଅଧିକାରୀ, ୧୨ ଜଣ କେନ୍ଦ୍ରୀୟ ଅଧିକାରୀ ଏବଂ ସୁବର୍ଣ୍ଣପୁର ଜିଲ୍ଲାର ୨୦୦ ଜଣ ସ୍ଥାନୀୟ ଅଧିକାରୀ ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିବେ।
ଜିଲ୍ଲା ଫୁଟବଲ୍ ଆସୋସିଏସନ୍ ପକ୍ଷରୁ ଏହି ଚାମ୍ପିୟନସିପ୍‌ର ଆୟୋଜନ କରାଯାଉଛି। ଶ୍ରୀ ଘନଶ୍ୟାମ ମେହେର ଆୟୋଜକ ତଥା ସମ୍ପାଦକ-ସଂଯୋଜକ ଭାବେ ଦାୟିତ୍ୱ ତୁଲାଉଥିବାବେଳେ ଶ୍ରୀ ଦେବାଶିଷ ସିଂହ ଆୟୋଜକ କମିଟିର ସଭାପତି ଅଛନ୍ତି।
ଉଦ୍‌ଘାଟନୀ ଉତ୍ସବରେ ସୋନପୁର ବିଧାୟକ ଶ୍ରୀ ନିରଞ୍ଜନ ପୂଜାରୀ, ବୀରମହାରାଜପୁର ବିଧାୟକ ଇ. ରଘୁନାଥ ଜଗଦଳା, ସୁବର୍ଣ୍ଣପୁର ଆରକ୍ଷୀ ଅଧୀକ୍ଷକ ଶ୍ରୀ ନାରାୟଣ ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ରାଜେନ୍ଦ୍ର ମାଝୀ, ଡି.ଏସ୍‌.ଇ., ଯୁଗ୍ମ ନିର୍ଦ୍ଦେଶକ, ଭୁବନେଶ୍ୱର ଶ୍ରୀ ଜ୍ୟୋତିରଞ୍ଜନ ପଣ୍ଡା, ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଚିତ୍ତରଞ୍ଜନ ମିଶ୍ର, ମାନ୍ୟବର ବଲାଙ୍ଗୀର ସାଂସଦଙ୍କ ମନୋନୀତ ପ୍ରତିନିଧି ଶ୍ରୀ ସାନନ୍ଦ କୁମାର ମେହେର ଏବଂ ସୁବର୍ଣ୍ଣପୁର ଜିଲ୍ଲା ଆଥଲେଟିକ୍ ଆସୋସିଏସନ୍‌ର ସମ୍ପାଦକ ଶ୍ରୀ ପୀୟୂଷ କୁମାର ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେବେ।
ଅକ୍ଟୋବର ୧୬ ତାରିଖରେ ଉଦ୍‌ଯାପନୀ ଉତ୍ସବ ସହ ଏହି ରାଜ୍ୟସ୍ତରୀୟ ଚାମ୍ପିୟନସିପ୍‌ର ସମାପନ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ