Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Hathras Restaurant Fine: ୧୮ ଟଙ୍କିଆ ପାଣି ବୋତଲରେ ଠକେଇ ମହଙ୍ଗା ପଡ଼ିଲା, ରେଷ୍ଟୁରାଣ୍ଟକୁ ୧.୦୬ ଲକ୍ଷ ଟଙ୍କାର ଜରିମାନା

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ହାଥରସ୍‌ସ୍ଥିତ ପ୍ରସିଦ୍ଧ ବିବିସିଏନ୍‌ ରେଷ୍ଟୁରାଣ୍ଟକୁ ପାଣି ବୋତଲର ମୂଲ୍ୟଠାରୁ ଅଧିକ ଟଙ୍କା ଆଦାୟ କରିବା ମାମଲାରେ ମୋଟ ୧ ଲକ୍ଷ ୬ ହଜାର ଟଙ୍କା ଜରିମାନା ଓ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ମିଳିଛି। ଅଭିଯୋଗ ଅନୁସାରେ, ୧୮ ଟଙ୍କା ଏମ୍‌ଆର୍‌ପି ଥିବା ପାଣି ବୋତଲ ପାଇଁ ରେଷ୍ଟୁରାଣ୍ଟ ଗ୍ରାହକଙ୍କଠାରୁ ୨୦ ଟଙ୍କା ନେବା ସହ ଅଲଗା ଭାବେ ଜିଏସ୍‌ଟି ମଧ୍ୟ ଯୋଡ଼ିଥିଲା। ଗ୍ରାହକ ଏହାର ପ୍ରତିବାଦ କରି ଟଙ୍କା ଫେରସ୍ତ ମାଗିଥିଲେ ମଧ୍ୟ ରେଷ୍ଟୁରାଣ୍ଟ ପକ୍ଷରୁ ମନା କରାଯାଇଥିବା ଅଭିଯୋଗ ହୋଇଥିଲା।

ମାମଲାରେ ଗ୍ରାହକଙ୍କ ପକ୍ଷରୁ ଆଇନଗତ ନୋଟିସ୍‌ ପଠାଯାଇଥିଲା। ଏହାର ଉତ୍ତର ନମିଳିବା ପରେ ମାମଲା ଅଲିଗଡ଼ ଜିଲ୍ଲା ଉପଭୋକ୍ତା ବିବାଦ ପ୍ରତିତୋଷ ଆୟୋଗରେ ପହଞ୍ଚିଥିଲା। ମାମଲାରେ ପକ୍ଷ ରଖିଥିବା ଓକିଲ ଅଙ୍କୁର ଅଗ୍ରୱାଲଙ୍କ କହିବା ଅନୁସାରେ, ଗ୍ରାହକ ଅତିରିକ୍ତ ୨ ଟଙ୍କା ଦେବାକୁ ଆପତ୍ତି କରିବାରୁ ରେଷ୍ଟୁରାଣ୍ଟ ପକ୍ଷରୁ ବଡ଼ ହୋଟେଲରେ ଏହି ବୋତଲ ପାଇଁ ୫୦ ଟଙ୍କା ନିଆଯାଇଥାନ୍ତା ବୋଲି ଯୁକ୍ତି ଦିଆଯାଇଥିଲା। ଆୟୋଗ ପକ୍ଷରୁ ବାରମ୍ବାର ନୋଟିସ୍‌ ପଠାଯାଇଥିଲେ ମଧ୍ୟ ରେଷ୍ଟୁରାଣ୍ଟର କୌଣସି ପ୍ରତିନିଧି ହାଜର ହୋଇନଥିଲେ।

ଏହାପରେ ଆୟୋଗ ଏକପାକ୍ଷିକ ରାୟ ଦେଇ ରେଷ୍ଟୁରାଣ୍ଟକୁ ଜିଲ୍ଲା ଉପଭୋକ୍ତା କଲ୍ୟାଣ ପାଣ୍ଠିରେ ୧ ଲକ୍ଷ ଟଙ୍କା ଜମା କରିବାକୁ ଆଦେଶ ଦେଇଥିଲେ। ଏହାସହ ଓକିଲ ଫି’ ବାବଦରେ ୫ ହଜାର ଟଙ୍କା ଏବଂ ମାନସିକ କ୍ଷତିପୂରଣ ଭାବେ ୧ ହଜାର ଟଙ୍କା ଦେବାକୁ ମଧ୍ୟ କୁହାଯାଇଛି। ଏହିପରି ମୋଟ ରାଶି ୧ ଲକ୍ଷ ୬ ହଜାର ଟଙ୍କା ହୋଇଛି। ମାମଲାରେ ଓକିଲ ଅଙ୍କୁର ଅଗ୍ରୱାଲ ଓ ଅମିତ ତୋମର ଗ୍ରାହକଙ୍କ ପକ୍ଷରୁ ଯୁକ୍ତି ରଖିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories