SBI Cyber Attack: ଡାର୍କ ୱେବ୍ରେ 3,897 ଗ୍ରାହକଙ୍କ ତଥ୍ୟ ଲିକ୍, ଚିନ୍ତା ବଢ଼ାଇଲା ଷ୍ଟେଟ୍ ବ୍ୟାଙ୍କର ଖୁଲାସା
ଦେଶର ସର୍ବବୃହତ୍ ସରକାରୀ ବ୍ୟାଙ୍କ State Bank of India (SBI)ର ଗ୍ରାହକଙ୍କ ତଥ୍ୟ ଡାର୍କ ୱେବ୍ରେ ପ୍ରକାଶ ପାଇଥିବା ନେଇ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ବ୍ୟାଙ୍କର ଷ୍ଟକ୍ ଏକ୍ସଚେଞ୍ଜ ଫାଇଲିଂ ଅନୁଯାୟୀ, ସାଇବର ଘଟଣାରେ ୩,୮୯୭ ଜଣ ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟ ପ୍ରକାଶ ପାଇଥିବା ସନ୍ଦେହ କରାଯାଇଛି। ଅକ୍ଟୋବର ୧୬ରେ ବ୍ୟାଙ୍କକୁ Threat Intelligence Service Provider, Defence Cyber Agency ଏବଂ Indian Computer Emergency Response Team (CERT-In) ପକ୍ଷରୁ ଏ ସମ୍ପର୍କରେ ସତର୍କ ସୂଚନା ମିଳିଥିଲା।
SBIର ପ୍ରାଥମିକ ଯାଞ୍ଚରେ ଡାର୍କ ୱେବ୍ରେ ମିଳିଥିବା ପ୍ରାୟ ୩.୭୫ ଲକ୍ଷ ରେକର୍ଡ ମଧ୍ୟରୁ ୩,୮୯୭ଟି ରେକର୍ଡ ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟ ସହ ଜଡ଼ିତ ଥିବା ଜଣାପଡ଼ିଛି। ଏଥିରେ ଗ୍ରାହକଙ୍କ ନାମ, ପଞ୍ଜୀକୃତ ମୋବାଇଲ୍ ନମ୍ବର, ଜନ୍ମ ତାରିଖ, ଲିଙ୍ଗ, ଇମେଲ୍ ଠିକଣା ଓ ଘରର ଠିକଣା ରହିଥିବା କୁହାଯାଇଛି। ଏହା ସହ ଶାଖା ଓ ଗ୍ରାହକଙ୍କ ପରିଚୟ ସଂଖ୍ୟା, ଲିଡ୍ ଆଇଡି ଏବଂ ଋଣ ସମ୍ପର୍କିତ ତଥ୍ୟ ମଧ୍ୟ ପ୍ରକାଶ ପାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ତେବେ ଏହି ଘଟଣା ବ୍ୟାଙ୍କର ମୁଖ୍ୟ କାର୍ଯ୍ୟପ୍ରଣାଳୀ, ଆର୍ଥିକ ପ୍ରଦର୍ଶନ କିମ୍ବା ବ୍ୟବସାୟର ନିରନ୍ତରତା ଉପରେ ଗୁରୁତର ପ୍ରଭାବ ପକାଇନଥିବା SBI ସ୍ପଷ୍ଟ କରିଛି।

