ନିଖୋଜ ପ୍ରେମୀ ଯୁଗଳଙ୍କ ଗଳିତ ଝୁଲନ୍ତା ମୃତଦେହ ଉଦ୍ଧାର,ହତ୍ୟା ସନ୍ଦେହ,ପୋଲିସ ର ତଦନ୍ତ ଆରମ୍ଭ।
କଳାହାଣ୍ଡି,୨୨/୧୦
ପାଞ୍ଚ ଦିନ ତଳେ ନିଖୋଜ ଥିବା ପ୍ରେମୀ ଯୁଗଳଙ୍କ ମୃତଦେହ କୋକସରା ଥାନା ଅନ୍ତର୍ଗତ ବେହେରା ଗ୍ରାମ ନିକସ୍ଥିତ ଭଣା ଡଙ୍ଗରି ପାହାଡ଼ ଶୀର୍ଷରୁ ଝୁଲନ୍ତା ଅବସ୍ଥାରେ ଠାବ ହୋଇଛି। ଉଭୟଙ୍କ ମୃତ୍ୟୁକୁ ନେଇ ହତ୍ୟା ସନ୍ଦେହ ପ୍ରକାଶ ପାଇଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। ସୂଚନା ଅନୁଯାୟୀ, କୋକସରା ଥାନା ଅନ୍ତର୍ଗତ ତେଣ୍ଡାପାଲି ଗ୍ରାମର ପ୍ରହ୍ଲାଦ ନାଏକଙ୍କ ପୁଅ ଅଜିତ କୁମାର ନାଏକ ଏବଂ ଧର୍ମଗଡ଼ ସହରର କେନ୍ଦୁମୁଡ଼ିପଡ଼ା ର ପ୍ରିୟଦର୍ଶିନୀ ନାଏକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। ଉଭୟ ଭିନ୍ନ ଜାତିର ହୋଇଥିବାରୁ ସେମାନଙ୍କ ସମ୍ପର୍କକୁ ନେଇ ପରିବାର ମଧ୍ୟରେ ଅସହମତି ରହିଥିବା ଜଣାପଡ଼ିଛି। ଗତ ୧୭ ତାରିଖ ରାତିରୁ ଉଭୟ ନିଖୋଜ ହୋଇଯାଇଥିଲେ। ଏନେଇ ଉଭୟଙ୍କ ପରିବାର ପକ୍ଷରୁ କୋକସରା ଓ ଧର୍ମଗଡ଼ ଥାନାରେ ପୃଥକ ପୃଥକ ଭାବେ ନିଖୋଜ ଅଭିଯୋଗ କରାଯାଇଥିଲା। ତେବେ ଗୁରୁବାର ସକାଳେ ସ୍ଥାନୀୟ ଅଞ୍ଚଳର କିଛି ଲୋକ ଶୁଖିଲା କାଠ ସଂଗ୍ରହ କରିବାକୁ ଭଣା ଡୋଙ୍ଗର ଜଙ୍ଗଲକୁ ଯାଇଥିବା ବେଳେ ଗଛରେ ଝୁଲୁଥିବା ଦୁଇଟି ମୃତଦେହ ଦେଖିବାକୁ ପାଇଥିଲେ। ଖବର ପ୍ରଚାର ହେବା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା।
ମୃତଦେହ ଦୁଇଟି ପଚିଯାଇଥିବା ବେଳେ ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ନିଖୋଜ ଥିବା ଯୁବକ ଯୁବତୀ ଙ୍କ ପରିବାର ଲୋକେ ଘଟଣାସ୍ଥଳ ରେ ପହଞ୍ଚି ଉଭୟଙ୍କୁ ଚିହ୍ନଟ କରିଥିଲେ। ମୃତକଙ୍କ ଶରୀରରେ କ୍ଷତ ଓ ରକ୍ତର ଚିହ୍ନ ଥିବା ଏବଂ ଉଭୟଙ୍କ ହାତ ପଛପଟେ ବନ୍ଧା ହୋଇଥିବା ନେଇ ଦେଖିବାକୁ ମିଳିଥିବାରୁ ଏହା ସୁଚିନ୍ତିତ ହତ୍ୟାକାଣ୍ଡ ବୋଳି ଚର୍ଚ୍ଚା ହେଉଛି। ତାହାକୁ ନେଇ ସନ୍ଦେହ ଘନୀଭୂତ ହୋଇଛି।ପ୍ରେମ ସମ୍ପର୍କ,ଭିନ୍ନ ଜାତିର ହୋଇଥିବା ରୁ ପରିବାର ମଧ୍ୟରେ ଅସହମତି ଏବଂ ଦୁଇଟି ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିବା ଘଟଣାକୁ ଅଧିକ ରହସ୍ୟମୟ କରିଛି। ଏହାକୁ ନେଇ ଘଟଣାସ୍ଥଳରେ ଉଭୟ ପରିବାର ପକ୍ଷରୁ ଉତ୍ତେଜନା ପ୍ରକାଶ ପାଇଥିଲା।
ଖବର ପାଇ ଧର୍ମଗଡ଼ ଥାନା ଅଧିକାରୀ ସୁଜ୍ଞାନ ବାରିକ, କୋକସରା ଥାନା ଅଧିକାରୀ ଡମ୍ବରୁ ଧର ଭର୍ତିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ତେବେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ଓ ନିରପେକ୍ଷ ତଦନ୍ତ କରିବା ପାଇଁ ପରିବାର ପକ୍ଷରୁ ଚାପ ପରେ ଧର୍ମଗଡ଼ ଏସଡିପିଓ ଭର୍ଷିତା ଆଡେପୁ ସମେତ କଳାହାଣ୍ଡି ଏସପି ନାଗରାଜ ଦେବରକୋଣ୍ଡା ପହଞ୍ଚି ସାଇଣ୍ଟିଫିକ ଟିମ ସାହାଯ୍ୟରେ ଘଟଣା ର ଅଧିକ ତଦନ୍ତ କରିଛନ୍ତି। ପ୍ରେମୀ ଯୁଗଳ ଙ୍କ ସନ୍ଦେହ ଜନକ ମୃତ୍ୟୁର ପ୍ରକୃତ କାରଣ ଏବଂ ଏହା ପଛରେ କାହାର ସମ୍ପୃକ୍ତି ରହିଛି,ତାହା ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ ବୋଳି କଳାହାଣ୍ଡି ଏସପି ଶ୍ରୀ ଦେବରକୋଣ୍ଡା ଗଣମାଧ୍ୟମ କୁ ସୂଚନା ଦେଇଥିବା ଜଣାପଡିଛି।

