Assam DSP Death: ହୋଟେଲ ରୁମ୍ରୁ ମିଳିଲା ଡିଏସ୍ପିଙ୍କ ମୃତଦେହ, ସନ୍ଦେହଜନକ ମୃତ୍ୟୁକୁ ନେଇ ପୋଲିସର ତଦନ୍ତ
ଆସାମ: ଆସାମର ବୋଙ୍ଗାଇଗାଁ ଜିଲ୍ଲାର ଏକ ହୋଟେଲରୁ ମୁଖ୍ୟମନ୍ତ୍ରୀଙ୍କ ଭିଜିଲାନ୍ସ ସେଲ୍ରେ କାର୍ଯ୍ୟରତ ଡିଏସ୍ପି ଖର୍ଗେଶ୍ୱର ରଭାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗୁରୁବାର ହୋଟେଲ ଜାହ୍ନବୀ ରେଜେନ୍ସିର ଏକ କୋଠରୀରୁ ପୁଲିସ ତାଙ୍କ ମୃତଦେହ ଉଦ୍ଧାର କରିଥିଲା। ଏହି ଘଟଣାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, ଡିଏସ୍ପି ରଭା ଅକ୍ଟୋବର ୧୮ ତାରିଖରେ ହୋଟେଲରେ ରହିବାକୁ ଆସିଥିଲେ। ଦୀର୍ଘ ସମୟ ଧରି ତାଙ୍କ କୋଠରୀରୁ କୌଣସି ଚଳପ୍ରଚଳ ନଦେଖିବା ଏବଂ ଦୁର୍ଗନ୍ଧ ବାହାରିବାରୁ ହୋଟେଲ କର୍ମଚାରୀ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହ ଫରେନ୍ସିକ୍ ଟିମ୍ ଦ୍ୱାରା ପ୍ରମାଣ ସଂଗ୍ରହ କରିଥିଲା।
ବୋଙ୍ଗାଇଗାଁର ଏସ୍ଏସ୍ପି ନୁମଲ ମାହାତୋଙ୍କ କହିବା ଅନୁସାରେ, ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଡିଏସ୍ପିଙ୍କ ମୃତ୍ୟୁ ହୋଇଥାଇପାରେ ବୋଲି ପ୍ରାଥମିକ ଅନୁମାନ କରାଯାଉଛି। ତେବେ ମୃତ୍ୟୁର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଅଧିକ ତଥ୍ୟ ଜଣାପଡ଼ିବ ବୋଲି ପୁଲିସ କହିଛି।

