Rajasthan Dausa Case: ନାବାଳିକାଙ୍କୁ ଅପହରଣ ଓ ଗଣଦୁଷ୍କର୍ମ ଅଭିଯୋଗ, ପ୍ରସବ ପରେ ନବଜାତର ମୃତ୍ୟୁ
ରାଜସ୍ଥାନ: ରାଜସ୍ଥାନର ଦୌସା ଜିଲ୍ଲାରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରି ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ନାବାଳିକାଙ୍କ ଅଭିଯୋଗ ଅନୁସାରେ, କିଛି ଯୁବକ ତାଙ୍କୁ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ୱେ ନିକଟର ଏକ ନିଛାଟିଆ ସ୍ଥାନକୁ ନେଇଯାଇଥିଲେ। ସେଠାରେ ତାଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ରହିଛି। ଏହି ସମୟରେ ତାଙ୍କର ପ୍ରସବ ହୋଇଥିଲା। ପରେ ନବଜାତ ଶିଶୁକୁ ନେଇ ସେ ହସ୍ପିଟାଲରେ ପହଞ୍ଚିଥିଲେ, କିନ୍ତୁ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ। ଘଟଣାଟି ଦୌସା ଜିଲ୍ଲାର କୋଲୱା ଥାନା ଅଞ୍ଚଳରେ ଘଟିଥିବା ପୋଲିସ କହିଛି।
ଦୌସା ଏସ୍ପି କୁନ୍ଦନ କାନୱାରିଆଙ୍କ ସୂଚନା ଅନୁସାରେ, ଘଟଣାର ଗୁରୁତ୍ୱକୁ ଦେଖି ନାବାଳିକାଙ୍କ ବୟାନ ରେକର୍ଡ କରାଯାଇଛି ଏବଂ ମାମଲା ରୁଜୁ ହୋଇଛି। ତଦନ୍ତ ପାଇଁ ଜଣେ ଡିଏସ୍ପିଙ୍କୁ ଦାୟିତ୍ୱ ଦିଆଯାଇଛି। ପ୍ରାଥମିକ ତଦନ୍ତରେ ନାବାଳିକାଙ୍କ ବୟାନକୁ ଖଣ୍ଡନ କରିବା ଭଳି ପ୍ରମାଣ ମିଳିନାହିଁ ବୋଲି ପୋଲିସ କହିଛି। ଏହି ମାମଲାରେ ଜଣେ ନାମଜଦ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଘଟଣାରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେନେଇ ମଧ୍ୟ ତଦନ୍ତ ଚାଲିଛି।
ନାବାଳିକାଙ୍କ ଡାକ୍ତରୀ ପରୀକ୍ଷା କରାଯାଇଛି ଏବଂ ସେ ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ପୋଲିସ ସୂଚନା ଦେଇଛି। ହସ୍ପିଟାଲ ପ୍ରଶାସନ ପକ୍ଷରୁ ଘଟଣା ସମ୍ପର୍କରେ ପୋଲିସକୁ ଜଣାଇବା ପରେ ମାମଲା ସାମ୍ନାକୁ ଆସିଥିଲା। ନାବାଳିକାଙ୍କ ଅଭିଯୋଗ, ଡାକ୍ତରୀ ରିପୋର୍ଟ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ପୋଲିସ ତଦନ୍ତ ଆଗକୁ ବଢ଼ାଉଛି।

