Single-Use Medical Devices: ସିରିଞ୍ଜଠାରୁ ସର୍ଜରୀ ଉପକରଣ ଯାଏଁ ବ୍ୟବହାର ହେଉଥିବା ମେଡିକାଲ୍ ଉପକରଣର ପୁନଃବ୍ୟବହାର ଉପରେ ରୋକ୍, ରାଜ୍ୟଗୁଡ଼ିକୁ କେନ୍ଦ୍ରର କଡା ନିର୍ଦ୍ଦେଶ
ନୂଆଦିଲ୍ଲୀ: ଥରେ ବ୍ୟବହାର ପାଇଁ ନିର୍ମିତ ମେଡିକାଲ୍ ଉପକରଣ ଓ ସର୍ଜରୀ ସାମଗ୍ରୀକୁ ପୁନଃବ୍ୟବହାର ନକରିବା ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କଡ଼ା ନିର୍ଦ୍ଦେଶ ଦେଇଛି କେନ୍ଦ୍ର। ଅକ୍ଟୋବର ୧୬ ତାରିଖର ଏକ ଚିଠିରେ ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ (DGHS) କହିଛି ଯେ, କିଛି ଘରୋଇ ଓ କର୍ପୋରେଟ୍ ହସ୍ପିଟାଲରେ ଥରେ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଉପକରଣକୁ ଷ୍ଟେରିଲାଇଜ୍ କରି ପୁଣି ବ୍ୟବହାର କରାଯାଉଥିବା ନଜରକୁ ଆସିଛି। ଏହା ଦ୍ୱାରା ରୋଗୀଙ୍କ ସୁରକ୍ଷା, ସଂକ୍ରମଣ ନିୟନ୍ତ୍ରଣ ଓ ଚିକିତ୍ସା ଖର୍ଚ୍ଚକୁ ନେଇ ଚିନ୍ତା ବଢ଼ିଛି।
DGHS ଅନୁସାରେ, ହୃଦ୍ରୋଗ, କିଡ୍ନୀ ରୋଗ, କର୍କଟ, ହୃଦ୍-ବକ୍ଷ ଓ ରକ୍ତନଳୀ ଅସ୍ତ୍ରୋପଚାର ଏବଂ ନ୍ୟୁରୋସର୍ଜରୀ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଏପରି ଉପକରଣ ପୁନଃବ୍ୟବହାର ହେଉଥିବା ଅଭିଯୋଗ ରହିଛି। ଏଥିରେ ହୃଦ୍ରୋଗରେ ବ୍ୟବହୃତ କ୍ୟାଥେଟର୍, ଗାଇଡ୍ୱାୟାର୍, ବେଲୁନ୍ ଓ ଆବ୍ଲେସନ୍ କ୍ୟାଥେଟର୍, ଡାଏଲିସିସ୍ ଉପକରଣ, ସର୍ଜିକାଲ୍ ଷ୍ଟାପଲର୍, ଲାପାରୋସ୍କୋପିକ୍ ଟ୍ରୋକାର୍ ଏବଂ ଅର୍ଥୋପେଡିକ୍ ଡ୍ରିଲ୍ ବିଟ୍ ଭଳି ସାମଗ୍ରୀ ରହିଛି। ଆସୋସିଏସନ୍ ଅଫ୍ ଇଣ୍ଡିଆନ୍ ମେଡିକାଲ୍ ଡିଭାଇସ୍ ଇଣ୍ଡଷ୍ଟ୍ରି (AiMeD) ଅନୁସାରେ, ସିରିଞ୍ଜ ଓ ଛୁଞ୍ଚି ମଧ୍ୟ ପୁନଃବ୍ୟବହାର ହେଉଥିବା ସାମଗ୍ରୀ ମଧ୍ୟରେ ରହିଛି। ଏହାସହ କିଛି ଘଟଣାରେ ଉପକରଣ ପୁଣି ବ୍ୟବହାର ହୋଇଥିଲେ ମଧ୍ୟ ରୋଗୀଙ୍କଠାରୁ ପୂରା ମୂଲ୍ୟ ନିଆଯାଇଥିବା କିମ୍ବା ସରକାରୀ କର୍ତ୍ତୃପକ୍ଷଙ୍କଠାରୁ ଏହାର ଖର୍ଚ୍ଚ ଭରଣା କରାଯାଇଥିବା ଅଭିଯୋଗ ମଧ୍ୟ ଉଠିଛି।
ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ ଚେତାବନୀ ଦେଇଛି ଯେ, ଷ୍ଟେରିଲାଇଜ୍ କରାଯାଇଥିଲେ ମଧ୍ୟ ଥରେ ବ୍ୟବହାର ପାଇଁ ତିଆରି ଉପକରଣ ସବୁବେଳେ ପୁନଃବ୍ୟବହାର ପାଇଁ ସୁରକ୍ଷିତ ନୁହେଁ। ଠିକ୍ ଭାବେ ପୁନଃପ୍ରକ୍ରିୟାକରଣ ନହେଲେ କିମ୍ବା ଉପକରଣର ଗୁଣବତ୍ତା ନଷ୍ଟ ହେଲେ ଏହାର କାର୍ଯ୍ୟକ୍ଷମତା କମିପାରେ ଏବଂ ଜୈବିକ ପଦାର୍ଥ ରହିଯାଇପାରେ। ଏହା ଦ୍ୱାରା ହେପାଟାଇଟିସ୍ ବି ଓ ସି, HIV ଏବଂ ବ୍ୟାକ୍ଟେରିଆଜନିତ ସଂକ୍ରମଣର ଆଶଙ୍କା ସହ ଉପକରଣ ଖରାପ ହେବା ଓ ଚିକିତ୍ସା ସମୟରେ ଅନ୍ୟ ଜଟିଳତା ସୃଷ୍ଟି ହୋଇପାରେ। ତେଣୁ ସରକାରୀ ଓ ଘରୋଇ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ଏହି ନିୟମକୁ କଡ଼ାକଡ଼ି ପାଳନ କରିବାକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି।

