Smith Machhar: ୧୮୦ ଜୀବନ ବଞ୍ଚାଇଥିବା ଭାରତୀୟ ପାଇଲଟ୍ଙ୍କୁ UAEର ସର୍ବୋଚ୍ଚ ସମ୍ମାନ
ନୂଆଦିଲ୍ଲୀ: ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚ୍ଛାରଙ୍କ ସାହସ ଓ କର୍ତ୍ତବ୍ୟନିଷ୍ଠାକୁ ସମ୍ମାନ ଜଣାଇଛି ସଂଯୁକ୍ତ ଆରବ ଏମିରେଟ୍ସ (UAE)। ଫ୍ଲାଏଦୁବାଇ ବିମାନରେ ଏକ ଗୁରୁତର ଘଟଣା ସମୟରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ତାଙ୍କ ଉଦ୍ୟମକୁ ସ୍ୱୀକୃତି ଦେଇ ତାଙ୍କୁ ‘ଜାୟେଦ୍ II ଫାଷ୍ଟ କ୍ଲାସ୍’ ସମ୍ମାନ ପ୍ରଦାନ କରାଯାଇଛି। UAE ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ ଏକ ସମାରୋହରେ ତାଙ୍କୁ ସମ୍ମାନିତ କରିଥିଲେ। ଦୁବାଇର ଯୁବରାଜ ଶେଖ୍ ହମଦାନ ମଧ୍ୟ କ୍ୟାପ୍ଟେନ୍ ସ୍ମିତଙ୍କ ସାହସକୁ ପ୍ରଶଂସା କରି ତାଙ୍କୁ ଦେଶର ଜଣେ ଗର୍ବିତ ପ୍ରତିନିଧି ଭାବେ ବର୍ଣ୍ଣନା କରିଛନ୍ତି।
ରିପୋର୍ଟ ଅନୁସାରେ, ସେପ୍ଟେମ୍ବର ୩୦ରେ ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଏଦୁବାଇର FZ1073 ବିମାନର କକ୍ପିଟ୍ରେ ସହ-ପାଇଲଟ୍ କ୍ୟାପ୍ଟେନ୍ ସ୍ମିତଙ୍କୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଥିଲେ। ସହ-ପାଇଲଟ୍ ବିମାନକୁ ତଳକୁ ଖସାଇବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ଏଭଳି ସଙ୍କଟପୂର୍ଣ୍ଣ ପରିସ୍ଥିତିରେ କ୍ୟାପ୍ଟେନ୍ କକ୍ପିଟ୍ର ଦ୍ୱାର ଖୋଲିବାରେ ସଫଳ ହୋଇଥିଲେ। ପରେ ବିମାନରେ ଥିବା ଅନ୍ୟ କ୍ରୁ ସଦସ୍ୟ ଓ ଯାତ୍ରୀମାନେ ଆକ୍ରମଣକାରୀଙ୍କୁ କାବୁ କରିଥିଲେ।
ଏହି ଘଟଣା ସମୟରେ ବିମାନଟି ପ୍ରାୟ ୧୭ ହଜାର ଫୁଟ୍ ତଳକୁ ଖସିଥିବା କୁହାଯାଇଛି। ପରେ ଡ୍ୟୁଟିରେ ନଥିବା ଅନ୍ୟ ପାଇଲଟ୍ମାନେ ବିମାନର ନିୟନ୍ତ୍ରଣ ନେଇ ସାଉଦି ଆରବର ତାବୁକ୍ରେ ଜରୁରୀ ଅବତରଣ କରାଇଥିଲେ। ବିମାନରେ ଥିବା ସମସ୍ତ ୧୮୦ ଜଣଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା। UAEର ନେତାମାନେ କ୍ୟାପ୍ଟେନ୍ ଓ ବିମାନ କର୍ମଚାରୀଙ୍କ ଦାୟିତ୍ୱବୋଧ ଏବଂ ସାହସକୁ ପ୍ରଶଂସା କରିଛନ୍ତି।

