ଜାତିଆଣ ଅନ୍ଧବିଶ୍ୱାସର କରୁଣ ଚିତ୍ର; ଅନ୍ୟଜାତିରେ ବିବାହ କରି ଥିବାରୁ ମୃତ୍ୟୁ ପରେ ମଧ୍ୟ ମିଳିଲାନି କାନ୍ଧ, ୨୦ ଘଣ୍ଟା ଘରେ ପଡ଼ିରହିଲା ଶବ ।
ବଲାଙ୍ଗୀର,୨୯।୧୦: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଅନ୍ତର୍ଗତ ଖଲିପଥର ଗାଁରେ ଏକ ଅଭାବନୀୟ ଏବଂ ମର୍ମନ୍ତୁଦ ଘଟଣା ସାମ୍ନାକୁ ଆସିଛି। ଆଧୁନିକ ଯୁଗରେ ମଧ୍ୟ ସମାଜରୁ କୁସଂସ୍କାର ଏବଂ ଜାତିଆଣ ଅନ୍ଧବିଶ୍ୱାସ କିପରି ଦୂର ହୋଇପାରିନାହିଁ, ଏହି ଘଟଣା ତାହାର ଏକ ବାସ୍ତବ ଚିତ୍ର ପ୍ରଦାନ କରିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଖଲିପଥର ଗାଁର ଗଜାଧର ବାଗ୍ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ମୃତ ବ୍ୟକ୍ତି ଜଣେ ଅନ୍ୟ ଜାତିରେ ବିବାହ କରିଥିବା ଅଭିଯୋଗ ଆଣି ଗ୍ରାମବାସୀ ଏବଂ ସମାଜର କିଛିଲୋକ ଶବ ସତ୍କାର କରିବାକୁ କଡ଼ା ବିରୋଧ କରିଥିଲେ। ଏପରିକି ମୃତକଙ୍କୁ ଶେଷ, ବିଦାୟ ଦେବା ପାଇଁ କାହିଁକି କେହି ମଧ୍ୟ ଆଗେଇ ଆସି ନଥିଲେ।
ଫଳରେ, କୌଣସି ସହଯୋଗ ନ ମିଳିବାରୁ ମୃତକଙ୍କ ଶବ ଦୀର୍ଘ ୨୦ ଘଣ୍ଟା ପର୍ଯ୍ୟନ୍ତ ଘରେ ହିଁ ପଡ଼ିରହିଥିଲା। ଶେଷରେ ଖବର ପାଇ କିଛି ସ୍ୱଚ୍ଛାସେବୀ ଓ ସମାଜସେବୀ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ସହଯୋଗ କରି ଶବକୁ କାନ୍ଧ ଦେଇ ସତ୍କାର କାର୍ଯ୍ୟ ସମ୍ପନ୍ନ କରିଥିଲେ।
ଏଭଳି ଜଘନ୍ୟ କୁସଂସ୍କାର ଏବଂ ଅନ୍ଧବିଶ୍ୱାସକୁ ମୃତକଙ୍କ ପରିବାର ଏବଂ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଦୃଢ଼ ନିନ୍ଦା କରିଛନ୍ତି। ମୃତ୍ୟୁ ପରେ ମଧ୍ୟ ଜାତି-କୂଳ ଦେଖିବା ଏବଂ ପରିବାରକୁ ଏଭଳି ଦୁର୍ଦ୍ଦଶାରେ ପକାଇବା ଘଟଣା ସାମାଜିକ ଚେତନା ପ୍ରତି ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସଚେତନ ମହଲ ଏହି ପ୍ରଥାରେ ପରିବର୍ତ୍ତନ ଆଣିବାକୁ ଏବଂ ଆଗାମୀ ଦିନରେ ଏଭଳି ଅମାନବୀୟ କାଣ୍ଡର ପୁନରାବୃତ୍ତି ନଘଟିବା ପାଇଁ ସାଧାରଣ ଜନତାଙ୍କୁ ଅନୁରୋଧ କରିଛନ୍ତି।

