Italy Military Helicopter Crash: ବୋସନିଆରେ ଇଟାଲୀୟ ସାମରିକ ହେଲିକପ୍ଟର ଦୁର୍ଘଟଣା, ୪ ମୃତ ଓ ୧୧ ଆହତ
ନୂଆଦିଲ୍ଲୀ: ବୋସନିଆ ଓ ହର୍ଜେଗୋଭିନାରେ ୟୁରୋପୀୟ ସଂଘ (EU)ର ଶାନ୍ତିରକ୍ଷା ମିଶନରେ ନିୟୋଜିତ ଏକ ଇଟାଲୀୟ ସାମରିକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୁରୁବାର, ଅକ୍ଟୋବର ୨୯ରେ ନିୟମିତ ପ୍ରଶିକ୍ଷଣ ଅଭ୍ୟାସ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୧୧ ଜଣ ଆହତ ହୋଇଛନ୍ତି।
CH-47 ଚିନୁକ୍ ହେଲିକପ୍ଟରଟି ବ୍ରଚକୋ ନିକଟସ୍ଥ ଗୋରିସେ ଅଞ୍ଚଳରେ ଖସିପଡ଼ିଥିଲା। EUFOR ପକ୍ଷରୁ କୁହାଯାଇଛି ଯେ, ଆହତମାନଙ୍କ ଅବସ୍ଥା ସ୍ଥିର ରହିଛି ଏବଂ ସେମାନଙ୍କୁ ଚିକିତ୍ସା ଯୋଗାଇ ଦିଆଯାଉଛି। ଏହି ଦୁର୍ଘଟଣାରେ କୌଣସି ସାଧାରଣ ନାଗରିକ ଆହତ ହୋଇନାହାନ୍ତି। ସେହିପରି ଆଖପାଖର ସାଧାରଣ ଭିତ୍ତିଭୂମି କିମ୍ବା ସମ୍ପତ୍ତିର କ୍ଷତି ହୋଇଥିବା ଖବର ମିଳିନାହିଁ।
ଘଟଣାକୁ ନେଇ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଅନ୍ୟପଟେ, ହେଲିକପ୍ଟର ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ବିସ୍ତୃତ ତଦନ୍ତ ଆରମ୍ଭ ହୋଇଥିବା EUFOR ପକ୍ଷରୁ କୁହାଯାଇଛି।

